ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଜାମିନ ପାଇ ଜେଲରୁ ବାହାରିବା ପରେ ପୁଣି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ । ଏହା ପରେ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିବା ନେଇ ହେମନ୍ତ ସୋରେନ ଏକ୍ସରେ ସୂଚନା ଦେଇଛନ୍ତି ।
ମୋଦୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପୂର୍ବରୁ ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୫ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ଏବଂ ଜୁଲାଇ ୪ରେ ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ହେମନ୍ତ ସୋରେନ ।
ଜମି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ଗତ ଜୁନ୍ ୨୮ରେ ହେମନ୍ତ ସୋରେନ ଜେଲ୍ରୁ ମୁକୁଳିଥିଲେ। ଏହା ପରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ସେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଥିବା ବେଳେ ଝାଡ଼ଖଣ୍ଡର ବିକାଶ ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି।