ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ରେ ନିଆଁ
ପିଛା ଛାଡ଼ୁନି ଟ୍ରେନ ଦୁର୍ଘଟଣା।

ପିଛା ଛାଡ଼ୁନି ଟ୍ରେନ ଦୁର୍ଘଟଣା। ଗତ ୨ ତାରିଖରେ ବାଲେଶ୍ବର ନିକଟ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ପରିବେଶ ଶୋକାକୁଳ ଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ବୁଧବାର ଦିନ ଯାଜପୁର ରୋଡରେ ଇଞ୍ଜିନବିହୀନ ମାଲଗାଡ଼ିରେ ୬ ଜଣ ଶ୍ରମିକ କଟିଯାଇଥିଲେ। ଗୁରୁବାର ଦିନ ଚଣ୍ଡିଖୋଲ ନିକଟରେ ଚଳନ୍ତା ମାଲଗାଡି ମଝିରୁ ଅଲଗା ହୋଇଯାଇଥିଲା। ୩ଟି ୱାଗନ ଛାଡ଼ି ଗାଡ଼ି ପଳାଇଥିଲା। ପୁଣି ଗୁରୁବାର ସନ୍ଧ୍ୟାରେ ନୂଆପଡ଼ାରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।
ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ୍ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍ସିଟି ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ଖରିଆର୍ ରୋଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ସମୟରେ ସେଠାରେ ଆତଙ୍କ ଖେଳିଯାଇଥିଲା।
ପ୍ରାଣ ବିକଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇପଡ଼ିଥିଲେ।ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଦୁର୍ଗ-ପୁରୀ ଇଣ୍ଟର୍ସିଟି ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଜାଣିବା ପରେ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନ୍କୁ ଖରିଆର ରୋଡ୍ ଷ୍ଟେସନକୁ ଆଣିଥିଲେ। ଟ୍ରେନ୍ର ଏସି ବଗି ନିକଟରେ ଚକର ବ୍ରେକ୍ସୋ ବାଇଣ୍ଡିଂରେ ନିଆଁ ଲାଗିଥିବା ଦେଖାଯାଇଥିଲା। ସେଠାରେ ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେକରି ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ ପରିସର ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ପଡ଼ିଥିଲା।