ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ୱାଇରୁ ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

୧୪ ତାରିଖରେ ପ୍ରାଣ ହରାଇଥିଲେ ବାଲେଶ୍ୱରର ମୁରଲୀଧର ମହାକୁଡ଼

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ୱାଇରୁ ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷପ ପରେ ଗାଁରେ ପହଞ୍ଚିଲା ମୁମ୍ବାଇରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାହାପୁର ଗାଁର ଯୁବକ ମୁରଲୀଧର ମହାକୁଡ଼। ମୁମ୍ବାଇରେ ହୋଟେଲରେ କାର୍ଯ୍ୟ କରୁଥିବା ମୁରଲୀଧର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୪ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ମୃତଦେହକୁ ଘରକୁ ଆଣିବା ପାଇଁ ଅକ୍ଷମ। ତେଣୁ ମୃତଦେହ ଘରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରୁତର ସହ ନେଇ ମୁରଲୀଧରଙ୍କ ମୃତଦେହ ମୁମ୍ବାଇରୁ ଘରକୁ ଆଣିବା ବ୍ୟବସ୍ଥା କରିଥିଲେ। ଏକ ଆମ୍ବୁଲାନ୍ସ ଯୋଗେ ଆଜି ଗାଁରେ ତାଙ୍କ ମୃତଦେହ ପହଞ୍ଚିଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳି ପଡ଼ିଛି । ମୁଖ୍ୟମନ୍ତ୍ରୀ ନିଜେ ମୃତକଙ୍କ ପତ୍ନୀ ମିନତୀ ଏବଂ ଝିଅ ବର୍ଷାରାଣୀଙ୍କୁ ଫୋନ କରି ସମବେଦନା ଜଣାଇଛନ୍ତି। ଝିଅର ପାଠ ପଢ଼ିବାର ବ୍ୟବସ୍ଥା କରିବା ସହିତ ପରିବାରର ସୁବିଧା ଅସୁବିଧା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୃତଦେହ ପହଞ୍ଚିବା ପରେ ଶବ ସତ୍କାର ପାଇଁ ମୁଖ୍ୟମନ୍ତ୍ରୀ ପରିବାର ଲୋକଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା କରିଛନ୍ତି।