ନବୀନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି
ଜଣାଶୁଣା ବ୍ଲଗର କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଜଣାଶୁଣା ବ୍ଲଗର କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଦାବି କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାହା ନିଦେ୍ର୍ଧଶରେ କାମିୟା ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ।
ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ମାଗନ୍ତୁ । ସରକାର ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
ସେହିପରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଦିନରେ ଦଳ ଏହି ପ୍ରସଙ୍ଗକୁ ନେଇ ଚରମ ପଦକ୍ଷେପ ନେବ । ଏଥିସହ ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଡାକିଥିଲେ କି ବୋଲି ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ମହାପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡ଼ିଲା । ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ନଚେତ କଂଗ୍ରେସ ଚରମ ପଦକ୍ଷେପ ନେବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ଅନ୍ୟପଟେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟ ରଖି ଏହି ପ୍ରସଙ୍ଗରେ କହିଛନ୍ତି, ସବୁ ଓଡ଼ିଆ ଏବଂ ସନାତନୀମାନଙ୍କର ଶ୍ରଦ୍ଧାର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତେଣୁ ଜାଣତ ବା ଅଜାଣତରେ ମହାପ୍ରଭୁଙ୍କର ଆସ୍ଥା ଓ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହିଥିବା ଓଡ଼ିଆଙ୍କ ଲୋକଙ୍କ ଭାବାବେଗ ସହିତ ନ ଖେଳିଲେ ଭଲ।
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଛି । ତେଣୁ ଉଭୟ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଅଭିଯୋଗ କରିଛି ।
ପ୍ରକାଶ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଗୋମାଂସ ଭକ୍ଷଣକାରୀ କାମିଆ ଜାନିଙ୍କୁ ପ୍ରବେଶ କରାଇବା ଅଭିଯୋଗ ଘଟଣାରେ ଶାସକ ବିଜେଡିକୁ ଦାୟୀ କରିଛି ବିଜେପି ।