ରାଉରକେଲା ପାଲଟିଛି ଜିଏସ୍ଟି ଠକେଇ ପେଣ୍ଠ
ଜିଏସ୍ଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା

ଜିଏସ୍ଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା। ରାଜ୍ୟରେ ଯେତିକି ଜିଏସ୍ଟି ଠକେଇ ହେଉଛି, ତାର କେବଳ ୫୦% ଠକେଇ ହେଉଛି ରାଉରକେଲାରେ। ଆଜି ପୁଣି ଏକ ଜିଏସ୍ଟି ଠକେଇ ସାମ୍ନାକୁ ଆସିଛି। ନକଲି ବିଲ୍ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍ଟି ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍ଟି ଟିମ୍ କୋଇଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କାବଜାରର ରାକେଶ କୁମାର କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି। ତାଙ୍କ ନିକଟରୁ ୧୨ କମ୍ପାନି ସହ କାରବାର କରିଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରାକେଶ ଜିନିଷପତ୍ର ବିକ୍ରି ନ କରି ଏସବୁ କମ୍ପାନି ସହ କାଗଜପତ୍ରରେ ମୋଟ ୫୫ କୋଟି ଟଙ୍କାର କାରବାର ଦର୍ଶାଇଥିଲେ। ଏ ବାବଦରେ ମୋଟ ୮ କୋଟି ୭୦ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ କରିଥିଲେ। ରାକେଶ ବରସୁଆଁ ବଜାରରେ ଟ୍ୟୁବ୍, ଟାୟାର, ମୋବିଲ, ସିମେଣ୍ଟ ଓ ଲୁହା ରଡ୍ ବ୍ୟବସାୟ କରନ୍ତି।
ରାଜ୍ୟରେ ୯,୭୪୨ଟି ନକଲି ବିଲ୍ରେ ୧୭୯୨ କୋଟି ଟଙ୍କାର ଠକେଇ ହୋଇଛି। ଏଥିରୁ ରାଉରକେଲାରେ କେବଳ ୫୦୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି। ୨୫୦୦ କୋଟିର ନକଲି ବିଲ୍ ଜରିଆରେ ଠକମାନେ ୫୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଠକେଇ କରିଥିଲେ। ଆଜି ପର୍ଯ୍ୟନ୍ତ ଜିଏସ୍ଟି ୱିଙ୍ଗ ରାଜ୍ୟର ୨୮ ଜଣ ଜିଏସ୍ଟି ଠକଙ୍କୁ ଗିରଫ କରି ଜେଲ୍ ପଠାଇଛି। ସେମାନଙ୍କ ମଧ୍ୟରୁ କେବଳ ୧୫ ଜଣ ହେଉଛନ୍ତି ରାଉରକେଲାର। କେବଳ ଏତିକି ନୁହେଁ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ରାଜ୍ୟରେ ୩୦ ହଜାର ନକଲି ଜିଏସ୍ଟି ପଞ୍ଜୀକରଣକୁ ବାତିଲ କରିଛି। ଏଥି ମଧ୍ୟରୁ ପ୍ରାୟ ୩୦% ନକଲି ଜିଏସ୍ଟି ପଞ୍ଜୀକରଣ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡିଛି।