କଡ଼ା କଡ଼ି ପାଳନ ହେବ ନିର୍ବାଚନ ଆଚରଣବିଧି
କଡ଼ା କଡ଼ି ପାଳନ ହେବ ନିର୍ବାଚନ ଆଚରଣବିଧି, ଏପରିକି ସାଧାରଣ ଲୋକେ ଭୁଲ୍ କଲେ ବି ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଲୋକସଭା ନିର୍ବାଚନ ୨୦୨୪ ଅଧିସୂଚନା ଜାରି ହେବା ମାତ୍ରେ ଦେଶରେ ମଡେଲ କୋଡ ଅଫ କଣ୍ଡକ୍ଟ ଅର୍ଥାତ ଆଦର୍ଶ ଆଚରଣ ସଂହିତା ବା ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ସେହି ଅନୁସାରେ ନିର୍ବାଚନ କମିଶନ ଏବେ ସାରା ଦେଶରେ ଅଭିଯାନ ଚଳାଇ ରାଜନୈତିକ ଦଳଙ୍କ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ଓହ୍ଲାଇବେ। କେବଳ ଏତିକି ନୁହେଁ ସରକାରୀ ଯୋଜନାଗୁଡିକର ପ୍ରଚାର ବିଜ୍ଞାପନକୁ ମଧ୍ୟ ଓହ୍ଲାଇ ଦିଆଯିବ। ଆଚରଣ ବିଧି ଉଲ୍ଲଂଘନର ସୂଚନା ସିଧା ନିର୍ବାଚନ ଆୟୋଗଙ୍କ ନିକଟରେ କରାଯାଇ ପାରିବ।
ଅଭିଯୋଗ ଉପରେ ଆୟୋଗ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବେ। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ଲୋକେ ସଚେତନ ନଥିବାରୁ ଏହାର ଫାଇଦା ଉଠାଇ ସରକାରୀ ଅଧିକାରୀ କାମ କରିବାକୁ ମନା କରିଦେଇଥାନ୍ତି। ସେହିପରି ଲୋକଙ୍କ ମନରେ ମଧ୍ୟ ଭୁଲ ଧାରଣା ରହିଛି ଯେ ଏହି ନିର୍ବାଚନ ଆଚରଣ ବିଧି କେବଳ ରାଜନୈତିକ ଦଳ ଓ ନେତାଙ୍କ ଉପରେ ଲାଗୁ। ଯଦି ଆପଣ ବି ସେଇଆ ଭାବୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ।
କେବଳ ରାଜନୈତିକ ଦଳ ଅଥବା ନେତା ନୁହଁନ୍ତି, ସାଧାରଣ ଜନତା ବି ଯଦି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ମଧ୍ୟ ଜେଲ ଯିବାକୁ ପଡିପାରେ। ତେବେ ଏହା ଆପଣ ଜାଣିବା ବି ବହୁତ ଜରୁରୀ ଆଚରଣ ବିଧି ଲାଗୁ କାଳରେ ସରକାରୀ କାମଧନ୍ଦା ବନ୍ଦ ହୋଇ ନଥାଏ। ଏଥିରେ ଯଦି କୌଣସି ସରକାରୀ ଅଧିକାରୀ ଆଦର୍ଶ ଆଚରଣ ସଂହିତାର ଦ୍ୱାହୀ ଦେଇ ଆପଣଙ୍କ କାମ କରିବାକୁ ମନା କରନ୍ତି, ତେବେ ଆପଣଙ୍କୁ ଏହା ଜାଣିବା ଦରକାର ଏହି ନିୟମ କ’ଣ କହେ?
ଉଲ୍ଲେଖଯୋଗ୍ୟ ଯେ ଆପଣଙ୍କ ଜୀବନ ସହ ସମ୍ପୃକ୍ତ କୌଣସି ଜରୁରୀ କାମ ଆଚରଣବିଧି ଲାଗୁ ଯୋଗୁ କୌଣସି ପରିସ୍ଥିତିରେ ବି ବନ୍ଦ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଆପଣ କଣ କରିବା ଦରକାର ଓ କଣ କରିାପରିବେନି। ନିର୍ବାଚନ ଆଚରଣ ବିଧି ଲାଗୁ କାଳରେ ଆପଣ ଆପଣଙ୍କ ପେନସନ କରାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯାଇ ପାରନ୍ତି। ଏଥି ପାଇଁ କୌଣସି ଅଧିକାରୀ ମନା ମଧ୍ୟ କରିପାରିବେନି। ଆଧାର, ଜାତିପ୍ରମାଣପତ୍ର କରିବା କାମ ମଧ୍ୟ ଏହି ସମୟରେ ଜାରି ରହିବ। ବିଜୁଳି, ପାଣି ଓ ସଫେଇ କାମ ମଧ୍ୟ ଏହି ଅବଧିରେ ସୂଚାରୁ ରୂପେ ଜାରି ରହିବ। ସେହିପରି ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ପାଇବା ନିମନ୍ତେ ଆପଣ ସମ୍ପୂର୍ଣ୍ଣ ସ୍ୱାଧୀନ।
ପ୍ରଶାସନକୁ ସଡ଼କ ମରାମତି କାମ କରିବାକୁ ହେବ, ଆଚରଣ ବିଧି ବାହାନା କରି କୌଣସି ଅଧିକାରୀ ଏହି କାମ ବନ୍ଦ କରିପାରିବେନି। ଚାଲିଥିବା କୌଣସି ପ୍ରକଳ୍ପ କାମ ମଧ୍ୟ ଏହି ସମୟରେ ବନ୍ଦ ହେବ ନାହିଁ। ଯଦି ଆପଣ ଘରର ନକ୍ସା ନିମନ୍ତେ ପୂର୍ବରୁ ଆବେଦନ କରିଛନ୍ତି, ଏହା ମଧ୍ୟ ପାସ୍ ହେବ। ତେବେ ଏଥି ନିମନ୍ତେ ନୂଆ ଆବେଦନ ଗ୍ରହଣ ହେବ ନାହିଁ। ତେବେ ଆଚରଣ ବିଧି ଲାଗୁ ହେବା ପରେ କୌଣସି ନେତା ଅଥବା ଅଧିକାରୀ ସାର୍ବଜନିକ ଉଦଘାଟନ ଅଥବା ଶିଳାନ୍ୟାସ କାମ କରିପାରିବେନି। ଏହା ଛଡା ନୂଆ କାମକୁ ମଧ୍ୟ ଅନୁମୋଦନ କରାଯିବନି। ସେହିପରି ସରକାରଙ୍କ ଉପଲବ୍ଧି ସମ୍ପର୍କିତ ବିଜ୍ଞାପନ, ପ୍ରଚାର ପ୍ରସାର ହୋଇପାରିବନି। ଏଥି ପାଇଁ ପୂର୍ବରୁ ହେଉଥିବା ବିଜ୍ଞାପନ ହଟାଇ ଦିଆଯିବ।
ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଅଧିକାରୀକ ଗସ୍ତ ହୋଇପାରିବନି, ସରକାରୀ ବାହନରେ ସାଇରନ ବଜା ଯାଇ ପାରିବନି, ସରକାରୀ ଭବନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଲାଗିବା ଉପରେ ରୋକ ରହିବ। କୌଣସି ନେତା ସରକାରଙ୍କ ଉପଲବ୍ଧି ସମ୍ପର୍କିତ ବିଜ୍ଞାପନ ପ୍ରିଣ୍ଟ ଅଥବା ବୈଦୁତିକ ଓ ଅନ୍ୟ ଗଣମାଧ୍ୟମରେ ପ୍ରସାରଣ କରିପାରିବେନି। ଏହି ସମୟରେ ସାଧାରଣ ଜନତା ମଧ୍ୟ ସୋସିଆଲ ମିଡିଆ ପୋଷ୍ଟିଂ କାଳରେ ସାବଧାନତା ଅବଲମ୍ବନ କରିବା ବିଧେୟ, ନଚେତ ଆପଣଙ୍କ ପୋଷ୍ଟ ଆପଣଙ୍କୁ ଜେଲ ପଠାଇବାକୁ ଯଥେଷ୍ଟ ହେବ। ଏଣୁ ସୋସିଆଲ ମିଡିଆରେ କୌଣସି ବାର୍ତ୍ତା ସେୟାର କରିବା ଓ ଲେଖିବା ପୂର୍ବରୁ ନିର୍ବାଚନ ଆଚରଣ ବିଧି ନିୟମ ପଢି ନିଅନ୍ତୁ।