ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବା ବେଳେ ଟଳି ପଡ଼ିଲେ ଶିକ୍ଷକ

ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବା ବେଳେ ଟଳି ପଡ଼ିଲେ ଶିକ୍ଷକ

ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଶିଶୁ ଦିବସ ପାଳନ ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଆଜି ପୂର୍ବାହ୍‌ଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଫୁପୁଗାଁ କ୍ଲଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ଜୟ ପ୍ରକାଶ ଜେନା(୫୪)ଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ଶିକ୍ଷକ ଜୟ ପ୍ରକାଶ ଜେନା ନିଜ ପତ୍ନୀଙ୍କ ସହ ଫୋନରେ କଥା  ହେଉଥିଲେ। 

ସୂଚନା ପ୍ରକାରେ ଜୟ ପ୍ରକାଶ ଜେନା ୨୦୧୨ ନଭେମ୍ବର ମାସ ଠାରୁ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ତାରାକନାଡ଼ି ଗ୍ରାମରେ ଏକ ଭଡା ଘରେ ରହୁଥିଲେ। ସବୁଦିନ ଭଳି ଶିକ୍ଷକ ଜେନା ଆଜି ସକାଳୁ ପୂଜା କରିବା ପାଇଁ ଫୁଲ ତୋଳିବା ସହ ଘରକୁ ଫେରିଥିଲେ। ପରେ ଦଶମ ଶ୍ରେଣୀର ତିନି ଜଣ ଛାତ୍ରୀଙ୍କୁ ନିଜ ଘରେ ପାଠ ପଢ଼ାଉ ଥିଲେ। ସେହି ସମୟରେ ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ଶ୍ରୀ ଜେନାଙ୍କ ପତ୍ନୀ ଫୋନ କରିଥିଲେ। ପତ୍ନୀଙ୍କ ସହ ଫୋନରେ କଥା ହେବା ବେଳେ ସେ ହଠାତ ଅସୁସ୍ଥ ଅନୁଭବ କରି ଛାତ୍ରୀମାନଙ୍କୁ ଗୁରୁମା ସହ କଥା ହେବା ପାଇଁ ଫୋନ ଦେଇ ଅନ୍ୟ ଏକ ବଖରାରେ ଯାଇ ଶୋଇ ପଡ଼ିଥିଲେ। ଛାତ୍ରୀମାନେ ଗୁରୁମା ସହ ଫୋନରେ କଥା ହେବା ପରେ ଜୟ ପ୍ରକାଶ ସାରଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଜୟ ପ୍ରକାଶ ସାର ଆଉ ଉଠି ନଥିଲେ।