ପୁରୀରେ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭୟଙ୍କର ବାଣ ବିସ୍ଫୋରଣ: ୩ ଗୁରୁତର ଆହତ ଙ୍କ ମୃତ୍ୟୁ

ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପୁରୀରେ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭୟଙ୍କର ବାଣ ବିସ୍ଫୋରଣ: ୩ ଗୁରୁତର ଆହତ ଙ୍କ ମୃତ୍ୟୁ

ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଛି ଗୁରୁତର ଅଛନ୍ତି। ଗୁରୁତର ଆହତ ବ୍ୟକ୍ତିମାନଙ୍କୁ କଟକ ଏସସିବି ମେଡିକାଲ ଓ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ, ପୁରୀଠାରେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବଥିବା ହେତୁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବପର ହୋଇନଥିଲା। ଫଳରେ, ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସୂଚନା ଅନୁସାରେ,  ରାତି ପ୍ରାୟ ସାଢ଼େ ଦଶଟା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତି ଚାଲୁଥିବା ବେଳେ ଦେବୀଘାଟ ପଟ ତୁଠ ନିକଟରେ ବାଣ ଗଦା କରି ଲୋକମାନେ ବାଣ ଫୁଟାଉଥିଲେ। ତେବେ, ଫୁଟିଥିବା ବାଣରୁ କିଛି ଝୁଲ ଆସି ଏହି ବାଣଗଦାରେ ପଡ଼ିଯିବାରୁ ସେଠାରେ ବାଣ ବିସ୍ଫୋରଣ ଘଟିଥିଲା। ପ୍ରାୟ ୫୦ରୁ ଅଧିକ ବାଣ ଫୁଟିଥିଲା। ଯାହାଫଳରେ, ସେଠାରେ ଥିବା ଦେଖଣାହାରୀମାନେ ଗୁରୁତର ହୋଇପଡ଼ିଥିଲେ। ଏହି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ଲୋକମାନେ ମଧ୍ୟ ଏଣେତେଣେ ଦୌଡ଼ିବାରୁ ଅନେକ ଆହତ ହୋଇଥିଲେ। ସେହିପରି ଲୋକମାନେ ଭୟଭୀତ ହୋଇ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଲୋକମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ବାଣ ବିସ୍ଫୋରଣରେ ପ୍ରାୟ ୫ ଜଣ ନାବାଳକ ସମେତ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।

ତେବେ, ପୋଖରୀରେ କେତେଜଣ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ମାତ୍ର, ରାତି ହୋଇଥିବାରୁ ଏ ନେଇ କୌଣସି ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ। ତେବେ, ଖବର ପାଇ ଅଗ୍ନିଶମ ବିଭାଗର ଆଗ୍ନିକ ଓ ଲାଇଫ୍‌ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ର ପୁଷ୍କରିଣୀରୁ କେତେଜଣ ଆହତଙ୍କୁ ଉଦ୍ଧାର କରିଥ‌ି‌ଲେ। ସେହିପରି, ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର, ଡାକ୍ତର ଓ ସେବା ଯୋଗାଣକାରୀଙ୍କ ଅଭାବ ଯୋଗୁଁ ଏଠାରେ ଚିକିତ୍ସା ସେବା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଥିଲା। ଲୋକମାନେ ଆମ୍ବୁଲାନ୍ସ ଖୋଜୁଥିଲେ ମଧ୍ୟ ଆବଶ୍ୟକୀୟ ଆମ୍ବୁଲାନ୍ସ ମିଳିନଥିଲା। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ପୁଲିସ ପ୍ରଶାସନ ହାତଟେକି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ, ସ୍ଥାନୀୟ ଲୋକମାନେ ସଙ୍କଟାପନ୍ନ ଥିବା ଆହତମାନଙ୍କୁ କଟକକୁ ସ୍ଥାନାନ୍ତର କରାଇଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ, ଏସ୍‌ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହିତ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିନା ଅନୁମତିରେ ୩ ଲକ୍ଷ ଟଙ୍କାର ବାଣ ଗଚ୍ଛିତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏବଂ ନିଜଆଡ଼ୁ ପୁଲିସ ମାମଲା ରୁଜୁ କରିବ।

ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଚିକିତ୍ସା ପାଇଁ ସବୁ ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରାଯାଇଛି।