କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ଆସିବେ ।

କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲିଯାତ୍ରା ଉଦ୍ଘାଟନ ଉତ୍ସବରେ କେଉଁ ଭିଆଇପି ଅତିଥି ଭାବେ ଯୋଗ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା । ଫଳରେ ବାଲିଯାତ୍ରା ଅୟୋଜକ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କାର୍ଡରେ କୌଣସି ଅତିଥିଙ୍କ ନାଁ ରଖାଯାଇନଥିଲା । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିଯାତ୍ରାକୁ ଆସିବାର ସମ୍ଭାବନା ଥିବା କୁହାଯାଉଥିବା ବେଳେଜି ଏନେଇ କିଛି ଦ୍ୱନ୍ଦ୍ୱ ଦୂର ହୋଇଛି ବୋଲି କୁହାଯାଇପାରେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରା ଉତ୍ସବ ଉଦ୍ଘାଟନ କରିବେ । ୧୫ତାରିଖ ସନ୍ଧ୍ୟା ସାଢେ ୫ଟା ବେଳକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ ଆସି ବାଲିଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଅନ୍ୟ କୌଣସି ମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ତେବେ ଦୀର୍ଘ ବର୍ଷ ପରେ ବାଲିଯାତ୍ରା ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ହେବାକୁ ଯାଉଛି । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶନିବାର ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ସମେତ ଡିସିପି ଜଗମୋହନ ମୀନା, ସିଏମ୍ସି କମିସନର ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟାପୋ, ଡ. ଦିବ୍ୟଲୋଚନ ମାହାନ୍ତ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସମେତ ସଦର ଓ ବାଙ୍କୀ ଉପଜିଲ୍ଲାପାଳ, ଟିପିସିଓଡିଏଲ୍, ୱାଟକୋ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଯନ୍ତ୍ରୀ, ସିଏମ୍ସି ଅଧିକାରୀ, ପୁଲିସ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ଆସିବେ । ତେବେ ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ମହାନଦୀରେ ବୋଇତ ମାଧ୍ୟମରେ ମଞ୍ଚ ନିକଟକୁ ଅଣାଯିବ । ଏନେଇ ସୁସଜ୍ଜିତ ୫ଟି ବୋଇତ ପ୍ରସ୍ତୁତ କରାଯାଉଛି । ଅତିଥିମାନେ କଟକ ସିଲଭର ସିଟି ବୋଟିଂ କ୍ଲବ୍ ନିକଟରେ ଏକାଠି ହେବେ । ସେଠାରୁ ମଞ୍ଚ ନିକଟକୁ ପାଖାପାଖି ୫ଶହ ମିଟର ବୋଇତରେ ଅଣାଯିବାକୁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ଗତ କିଛିବର୍ଷ ଧରି ଅତିଥିମାନଙ୍କୁ ଏଭଳି ବ୍ୟବସ୍ଥାରେ ଅଣାଯାଉଥିବା ବେଳେ ପ୍ରାନୀନ ନୌବାଣିଜ୍ୟ ପରମ୍ପରାକୁ ଜୀବନ୍ତ କରୁଛି ।