ତିନି ଠାକୁରଙ୍କ ରଥ ଉପରେ ସମ୍ପନ୍ନ ହେଲା ଅଧରପଣା ନୀତି

ଆଜି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି

ତିନି ଠାକୁରଙ୍କ ରଥ ଉପରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ ,୧୮/୭:   ଆଜି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି । ପଣା ପିଇ ତୃପ୍ତ ହୋଇଛନ୍ତି ପ୍ରେତ ଓ ଅଶରୀରୀ । ବଡ଼ଦାଣ୍ଡକୁ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ସେଇମାନଙ୍କୁ ତୃପ୍ତ କରିବା ପାଇଁ ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି।

ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯାଇଛି। ଅଧର ଉଚ୍ଚା ୯ଟି ତୁମ୍ଵାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଭାଙ୍ଗିଛନ୍ତି।