ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି
ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର ହୋଇନଥିବା ବେଳେ ଆସନ୍ତାକାଲି ସବୁ ଅପେକ୍ଷାର ଅନ୍ତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ହେବ ବନକଲାଗି ନୀତି । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନଥିବାରୁ ବେଶ୍ ବ୍ୟଥିତ ଥିଲେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର, କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ତେବେ ପରେ ବୁଧବାର ହେବ ବୋଲି ନିଷ୍ପତ୍ତି ହୋଇଥିଲା ।
ସୂଚନାଯୋଗ୍ୟ ଯେ, ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ ।
ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ।