ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ AI

ଚାରିଦ୍ୱାର ଖୋଲିବା ପରେ ସଫଳ ହୋଇଛି ଶ୍ରୀମନ୍ଦିର ବାହାର ଭିଡ ନିୟନ୍ତ୍ରଣ । ହେଲେ ଚାରିଦ୍ଵାରରେ ଭକ୍ତଙ୍କ ପ୍ରବେଶ ପରେ ଭିତରେ ସାତପାହାଚ ନିକଟରେ ଜମୁଛି ଭିଡ।ତେବେ ଏହି ଭିଡ ନିୟନ୍ତ୍ରଣ ପାଇଁ ଏବେ ଅଣ୍ଟା ଭିଡ଼ିଛି ପ୍ରଶାସନ ।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ତଥା ଟେକନୋଲୋଜି ଆଧାରରେ କ୍ରାଉଡ଼ ମ୍ୟାନେଜମେଣ୍ଟ କରିବାକୁ ଚିନ୍ତା କରାଯାଇଛି । ଭିତରେ ଦୁଇଟି ଦ୍ୱାରରୁ ବିପରୀତ ଫ୍ଲୋ ଯୋଗୁଁ ଭିଡ ନିୟନ୍ତ୍ରଣ ନାକେଦମ କରୁଛି ।ତେଣୁ କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ନୂଆ ଚିନ୍ତା କରିଛି ପ୍ରଶାସନ ।
ସମସ୍ତ ସ୍ଥାନରେ ସିସିଟିଭି ସଂଯୋଗ ସହିତ ଏହାକୁ AI ସହିତ ସଂଯୋଗ କରିବାକୁ ଲକ୍ଷ ରଖାଯାଇଛି।ବିଶେଷ କରି ୧୪ଟି ପଏଣ୍ଟ ଉପରେ ନଜର ରଖିଛି ପ୍ରଶାସନ । ଶ୍ରୀମନ୍ଦିର ଚାରିଦ୍ଵାର ସମେତ ସାତ ପାହାଚ ,ଚକଡା଼ , ଗୁମୁଟ,ଆନନ୍ଦ ବଜାର ଇତ୍ୟାଦି ସହ ବିଭିନ୍ନ ଷ୍ଟେଜିଂ ସ୍ଥାନରେ ସିସିଟିଭି ଲଗାଯାଇ ଭିଡ ଉପରେ ନଜର ରଖିବାକୁ ଚିନ୍ତା କରାଯାଇଛି । ଡିଜିଟାଲି ସମସ୍ତ ସୂଚନା ସଂଗ୍ରହ କରି ଭିଡକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ କହିଛନ୍ତି ।
ଅନ୍ୟପଟରେ AI କିମ୍ଵା ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଶ୍ରୀମନ୍ଦିର ଭିତରକୁ ଯାଉଥିବା ମୋବାଇଲ୍ ତଥା ଅନ୍ୟ ବାରଣ ଜିନିଷ ସବୁକୁ ଚିହ୍ନଟ କରିବା ପାଇଁ ମଧ୍ୟ ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯାଉଛି । ଯାହାଦ୍ଵାରା ଭିଡ ନିୟନ୍ତ୍ରଣରେ ଏକ ବଡ ଶୃଙ୍ଖଳା ଆସିବ ବୋଲି ଆଶା କରାଯାଉଛି ।