ବାଙ୍ଗିରିପୋଷି ଘାଟିରେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା:୨୦ ଜଣ ଆହତ
ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି |

ବାଙ୍ଗିରିପୋଷି: ମୟୁରଭଞ୍ଜର ବାଙ୍ଗିରିପୋଷି ଘାଟି ଏବେ ମରଣଯନ୍ତା ପାଲଟିଛି | ଏଠି ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଚାଲିଛି। ଏ ବାବଦରେ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି। ସୋମବାର ଅପରାହ୍ନ ସମୟରେ ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୁଲିସକୁ ନେଇ ବାରିପଦା ଆସୁଥିବାବେଳେ ପୁଲିସ ଗାଡି ସହ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ପୁଲିସ ଗାଡ଼ିରେ ଥିବା ୨୦ ଜଣ ରିଜର୍ଭ ପୁଲିସ ଆହତ ହୋଇଛନ୍ତି।
ଘଟଣାରୁ ଜଣାପଡିଛି ଯେ ପୁଲିସ ଗାଡି ନଂ ଓଆର ୦୫ଏକେ ୪୪୫୬ ଘାଟିରୁ ଓହ୍ଲାଉ ଥିବାବେଳେ ବ୍ରେକ ଫେଲ ହେବାରୁ ଘାଟି ଚଢ଼ୁଥିବା କଣ୍ଟେନର ଡବ୍ଳୁବି ୦୫ଏ ୧୫୮୩ କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଜି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏଠାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସମସ୍ତଙ୍କୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ପୁଲିସ କ୍ରେନ ସାହାଯ୍ୟରେ ଦୁଇଟି ଗାଡ଼ିକୁ ହଟାଇବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି |