ପ୍ରତିଦିନ ଘଟୁଛି ଦୁର୍ଘଟଣା
ପ୍ରତିଦିନ ଘଟୁଛି ଦୁର୍ଘଟଣା, ଗଡୁଛି ମୁଣ୍ଡ, ବାଜି ଲାଗୁଛି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ

ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁଯନ୍ତା ପାଲଟିଛି । ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍ଏଚ୍ ଯାଇଥିଲେ ହେଁ ସେ ମଧ୍ୟ ପାଟି ଫିଟାଉ ନାହାନ୍ତି । ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି।
ଶଙ୍ଖ ଭବନରେ ଆୟୋଜିତ ପ୍ରେସ୍ମିଟ୍ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଏନ୍ଏଚ୍-୫୫ ଏବେ ଦେଶର ସବୁଠାରୁ ବିପଦସଙ୍କୁଳ ରାଜପଥରେ ପରିଣତ ହୋଇଛି । ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯା’ଆସ କରୁଛନ୍ତି । ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ୧୫/୨୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଲାଗୁଛି । ଫଳରେ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ, ଏନ୍ଏଚ୍-୫୫ ଦେଇ ରୋଗୀଙ୍କୁ ନେଇ ଏସ୍ସିବି, ଏମ୍ସ କିମ୍ବା କଟକ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ରାସ୍ତା ଖରାପ ଯୋଗୁଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି କିମ୍ବା ରାସ୍ତା ଜାମରେ ଫସି ଯାଉଛି । ଫଳରେ ବେଳେବେଳେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲି ଯାଉଛି । ଏହି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟି ଯାଇଛି । ପ୍ରତିଦିନ ହାରାହାରି ୨ଟି ମୁଣ୍ଡ ଗଡ଼ୁଥିବାବେଳେ ୧୦/୧୫ ଜଣ ଆହତ ହେଉଛନ୍ତି । ଅଥଚ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଓ ବିପଦ ମଧ୍ୟରେ ଛାଡ଼ି ଦେଇ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି ।