ସବ୍ୟସାଚୀଙ୍କ ନୂଆ ସିନେମା 'ରାଣ୍ଡୀପୁଅ ଅନନ୍ତା'

ଓଲିଉଡ୍ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ରଙ୍କ ଆଉ ଏକ ମୌଳିକ କାହାଣୀ ଭରା ନୂଆ ଓଡ଼ିଆ ସିନେମାର ଶୀର୍ଷକ ଘୋଷଣା ହୋଇଛି

ସବ୍ୟସାଚୀଙ୍କ ନୂଆ ସିନେମା 'ରାଣ୍ଡୀପୁଅ ଅନନ୍ତା'

ଓଲିଉଡ୍ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ରଙ୍କ ଆଉ ଏକ ମୌଳିକ କାହାଣୀ ଭରା ନୂଆ ଓଡ଼ିଆ ସିନେମାର ଶୀର୍ଷକ ଘୋଷଣା ହୋଇଛି । 'ପୁଷ୍କରା' ପରେ ଏକ ନୂଆ ସିନେମା ଆସିବା ନେଇ ଦର୍ଶକଙ୍କୁ ସବୁବେଳେ ବିଭିନ୍ନ ଭିଡିଓ ଦେଖାଇ ଆଶ୍ଚର୍ଯ୍ୟ ଚକିତ କରୁଥିବା ସବ୍ୟସାଚୀ ଶେଷରେ ନୂଆ ସିନେମା 'ରାଣ୍ଡୀପୁଅ ଅନନ୍ତା'ର ଫାଷ୍ଟ୍ ଲୁକ୍ ସୋସିଆଲ୍ ମିଡିଆରେ ଛାଡ଼ି ସତସତିକା ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଏଥିରେ ତାଙ୍କୁ ଚିହ୍ନି ହେଉନି । ସେ ଏତେ ମୋଟା ହୋଇଛନ୍ତି ଯେ, ତାଙ୍କ ପେଟ ବାହାରି ପଡ଼ିଛି । ଚରିତ୍ରକୁ ନ୍ୟାୟ ଦେବାକୁ ଯାଇ ସେ ଏଭଳି କରିଥିବା ଶୁଣିବାକୁ ମିଳିଛି ।

ତାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ସିନେମା ଲାଗି ଗତ ୬ ମାସରେ ୭୫ କେଜିରୁ ଓଜନ ବଢ଼ାଇ ୧୦୩ କେଜି କରିଛି । ଆସନ୍ତା ୩୦ ଦିନ ଧରି ସିନେମାର ସୁଟିଂ ଚାଲିବ । ଅନ୍ତତଃପକ୍ଷେ ସେତକ ଦିନ ପର୍ଯ୍ୟନ୍ତ ଏହିଭଳି ବଳିଷ୍ଠ ଚେହେରା ଧରି ବୁଲିବାକୁ ପଡ଼ିବ । ସୋସିଆଲ୍ ମିଡିଆରେ ଫାଷ୍ଟ ଲୁକ୍ ସହ ସବ୍ୟସାଚୀ ଉଲ୍ଲେଖ କରିଛନ୍ତି, ‘ମୋ ନୂଆ ସିନେମା ମୋ ନୂଆ ପରିଚୟ ହେଉ, ସେତିକି ପ୍ରାର୍ଥନା । ଏହି ଅନନ୍ତା ଚରିତ୍ର ପାଇଁ ଅନେକ ମାସରୁ ପେଟ ବଢ଼ାଉଥିଲି ଓ ପେଟ ଭିତରେ ଏହି ସିନେମା ବିଷୟ ଲୁଚେଇ ରଖିଥିଲି । ଆପଣଙ୍କୁ ଜଣାଇନଥିଲି । ଏକାଥରେ ଫାଷ୍ଟ ଲୁକ୍ରେ ଆପଣଙ୍କୁ ସର୍ପ୍ରାଇଜ୍ ଦେବାର ଇଚ୍ଛା ଥିଲା । ଆଶା ଆପଣଙ୍କୁ ମୋ ଲୁକ୍ ମାଧ୍ୟମରେ ତାହା ଦେଇପାରିଛି । ମୋ ଭାଗ୍ୟରେ ଥିଲା ବୋଲି ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ବଳିଷ୍ଠ କାହାଣୀ ଉପରେ ଚଳଚ୍ଚିତ୍ର କରିବାର ସୁଯୋଗ ପାଇଲି । ତାହା ପୁଣି ଅନେକ ଜାତୀୟ ପୁରସ୍କାର ଓଡ଼ିଶାକୁ ଆଣିଥିବା ଆମ ପ୍ରିୟ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କଠାରୁ । ଶ୍ରୀ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ଡିଓପିରେ ହୁଏନ୍ସାଂ ମହାପାତ୍ର ଏବଂ ସଙ୍ଗୀତରେ ଅଭିଜିତ୍ ମଜୁମ୍ଦାର୍ ରହିଛନ୍ତି । ଆମର ମ୍ୟୁଜିକ୍ ଏବଂ କୁମାର ପିକ୍ଚର୍ସ ଏହାକୁ ଏକ ବିରାଟ କମର୍ସିଆଲ୍ ସିନେମାର ରୂପ ଦେଉଥିବାରୁ ଧନ୍ୟବାଦ । ଆହୁରି ଅନେକ କଥା ଅଛି, ଧୀରେ ଧୀରେ ସବୁ କହିବି... । ଏବେତ ଆରମ୍ଭ ହେଲା ଅନନ୍ତାର ବଦମାସୀ । ଖାଲି ଏତିକି କହନ୍ତୁ ସତରେ ଆପଣଙ୍କୁ ଫାଷ୍ଟ ଲୁକ୍ କେମିତି ଲାଗିଲା?

ସିନେମାର ଶୁଭ ମହୁରତ୍ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଠାରେ ଅନୁଷ୍ଠିତ ହେବା ପରେ ସୁଟିଂ ଆରମ୍ଭ ହୋଇଛି । ମହୁରତ୍ରେ ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ହାସ୍ୟ ଅଭିନେତା ବିନ୍ଦୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ‘ପୁଷ୍କରା’ ପରେ ଏହିଭଳି କିଛି ସିନେମା କରିବାକୁ ସବ୍ୟସାଚୀ ଅଧିକ ପସନ୍ଦ କରୁଥିବାବେଳେ ପ୍ରଥମ ଥର ନିଜ ଓଜନ ୨୮କେଜି ବଢ଼ାଇ ଏକ ନୂଆ ଲୁକ୍ ଦେଇଛନ୍ତି, ଯାହା ଇଣ୍ଡଷ୍ଟ୍ରି ପାଇଁ ଉଦାହରଣ । ଏହା ତାଙ୍କ ପାଇଁ ବି ସବୁଦିନ ଲାଗି ମନେରହିବ ।