ପବିତ୍ର ଜାଗର ଅବସର ରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଏଥର ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି । ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀରେ ଅଧିକ ଲାଇଟ୍ ଲଗାଯାଇଛି ।

ଭୁବନେଶ୍ୱର: ଜାଗର ଅବସର ରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର । ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଏଥର ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି । ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀରେ ଅଧିକ ଲାଇଟ୍ ଲଗାଯାଇଛି ।
ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକ ମାଳାରେ ସଜେଇ ଦିଆଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତ୍ତୀ ଅନ୍ୟ ସବୁ ଛୋଟ ମନ୍ଦିରରେ ସୁନ୍ଦର ଲିଚୁମାଳା ଲଗାଯାଇଛି । ଏଥିସହ ମନ୍ଦିର ନିକଟ ଗଛଗୁଡ଼ିକରେ ମଧ୍ୟ ରଙ୍ଗିନ୍ ଲାଇଟ୍ ଲଗାଯାଇଛି। ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ଆଲୋକମାଳା ଝଲସୁଛି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି । ପକେଟ ମାର୍, ଛିନତାଇ ଉପରେ ସିସିଟିଭି ନଜର ରଖିବ। ୪ ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ୫ ଜଣ ଆଡସିନାଲ ୧୧ ଏସପି, ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ମନ୍ଦିର ସମ୍ମୁଖ ରାସ୍ତାରେ ୱାନ ୱେ କରାଯାଇଛି । ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି।
ତେବେ ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଏଥିପାଇଁ ଲିଙ୍ଗରାଜ ମହାପ୍ରଭୁଙ୍କ ସମସ୍ତ ରିତି ନିତି ସମୟ ମୁତାବକ ଶେଷ କରାଯାଉଛି। ଚଳିତ ଥର ଭୋର୍ ୩ଟାରୁ ମନ୍ଦିର ଦ୍ୱାର ଖୋଲା ଯାଇ ଶ୍ରୀ ଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯାଇଥିଲା । ପରେ ଭୋର୍ ୪ଟା ୫ ମଧ୍ୟରେ ସେବାୟତଙ୍କ ପରିବାର ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିବା ବ୍ୟବସ୍ଥା କରାଯାଇଥିଲା । ପରେ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।
ତେବେ ଏହି ମହାଶିବରାତ୍ରୀ ପାଳନ ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର୍ ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦିନ ତମାମ୍ ଚାଲିଥିଲା । ସନ୍ଧ୍ୟା ୭ ଘଟିକାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଚାଲିବ । ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।