୩୫ ଓଆରଏସ୍ ଅଫିସରଙ୍କ ବଦଳି
ରାଜ୍ୟ ସରକାର ଆଉ ୩୫ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ) ଅଫିସରଙ୍କ ବଦଳି କରିଛନ୍ତି । ଆଉ ୩ଜଣ ଓଆରଏସ୍ ଅଫିସରଙ୍କ ବଦଳି ବାତିଲ ହୋଇଛି

ରାଜ୍ୟ ସରକାର ଆଉ ୩୫ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ) ଅଫିସରଙ୍କ ବଦଳି କରିଛନ୍ତି । ଆଉ ୩ଜଣ ଓଆରଏସ୍ ଅଫିସରଙ୍କ ବଦଳି ବାତିଲ ହୋଇଛି । ଏହି ୩ଜଣ ଓଆରଏସ ଅଫିସରଙ୍କ ମଧ୍ୟରୁ ଦୁଇଜଣଙ୍କ ବଦଳି ଜାନୁୟାରୀ ୩୧ରେ ହୋଇଥିଲା । ବଦଳିର ପ୍ରାୟ ୧୦ମାସ ପରେ ଏହାକୁ ସରକାର ବାତିଲ କରିଛନ୍ତି ।
ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୩୫ଜଣ ଓଆରଏସ୍ ଅଫିସରଙ୍କୁ ଅତିରିକ୍ତ ତହସିଲଦାର, ସବରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ କଲେକ୍ଟର, ଲ୍ୟାଣ୍ଡ ଅଫିସର ଓ ମ୍ୟୁନିସପାଲଟି କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ଭୁବନେଶ୍ୱରରେ ଦେବୋତ୍ତର କମିଶନରେ ଲ୍ୟାଣ୍ଡ ଅଫିସର ଭାବେ କାର୍ୟ୍ୟରତ ଓଆରଏସ୍ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ କୃଷି ବିଭାଗରେ ଓଏସଡି ଭାବେ ବଦଳି କରାଯାଇଛି। ସେ ଓୟୁଏଟି ଲ୍ୟାଣ୍ଡ ଅଫିସର ଭାବେ କାର୍ୟ୍ୟ କରିବେ । ସେହିପରି କାକଟପୁର ସବରେଜିଷ୍ଟ୍ରାର ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କୁ ଆଜି ଅପରାହ୍ନରେ ବିଭାଗ ପକ୍ଷରୁ ରିଲିଭ୍ କରିଦିଆଯାଇଛି । ସେମାନଙ୍କୁ ୨୫ତାରିଖ ସୁଦ୍ଧା ନିଜ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲୋକ୍ଟ୍ରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ୟ୍ୟ ଠିକ୍ ଭାବେ ସମ୍ପନ୍ନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ଓଆରଏସ୍ ନିତ୍ୟାନନ୍ଦ ସେଠୀ, ଶରତ ଚନ୍ଦ୍ର ସାହୁ ଓ ପ୍ରସନ୍ନ କୁମାର ପାଢ଼ୀଙ୍କ ବଦଳିକୁ ବାତିଲ କରାଯାଇଛି ।