ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଧୀରେ ଧୀରେ ବଢିବାରେ ଲାଗିଛି

ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଧୀରେ ଧୀରେ ବଢିବାରେ ଲାଗିଛି । ଗତକାଲି ନିଜ ସହପାଠୀ ପ୍ରତୁ୍ୟଷା ନନ୍ଦଙ୍କୁ ବିବାହ ନିମନ୍ତେ କରିଥିବା ଆବେଦନକୁ ତାଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଆଜି ସୋମାଲିକା କଟକ ସବରେଜିଷ୍ଟ୍ରାର ଅଫିସରରେ ପହଞ୍ଚିଛନ୍ତି ।  ଆଜି ସେ ବିଜୟଙ୍କ ବୟସ  ସମ୍ପର୍କିତ ତଥ୍ୟକୁ ନେଇ ଅଭିଯୋଗ କରିଛନ୍ତି ।  ଭିନ୍ନ ଭିନ୍ନ ଆବେଦନରେ ବିଜୟ ଭିନ୍ନ ବୟସ ଉଲ୍ଲେଖ କରିଥିବା ସୋମାଲିକା ଦର୍ଶାଇଛନ୍ତି । ଏଥିସହ ମାମଲା କୋର୍ଟରେ ବିଚାରାଧୀନ ଥିବା ଜଣାଇଛନ୍ତି ।

ପ୍ରକାଶ ଯେ  ବିଜେଡି ବିଧାୟକ ବିଜୟଶଙ୍କର ନିଜର ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ଆବେଦନ କରି ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ । ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ସୂଚନା ଅନୁସାରେ, ବିଜୟଶଙ୍କରଙ୍କ ବିବାହ ଆବେଦନକୁ ଚ୍ୟାଲେଞ୍ଜ କରି ସୋମାଲିକା  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟ ତାଙ୍କର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ସୋମାଲିକା ନିଜର ଓକିଲ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ମାଧ୍ୟମରେ ଆବେଦନ କରିଛନ୍ତି । ଏହି ମାମଲାରେ ସୋମାଲିକା କଟକ ଜିଲ୍ଲା ସବରେଜିଷ୍ଟ୍ରାର ତଥା ମ୍ୟାରେଜ୍ ଅଫିସରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସୋମାଲିକା ଚଳିତମାସ ପ୍ରଥମ ସପ୍ତାହରେ ମ୍ୟାରେଜ୍ ଅଫିସରଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନକୁ ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ । ଏହାସହିତ ଥାନାରେ ମଧ୍ୟ ବିଜୟଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ପୂର୍ବରୁ ଚଳିତବର୍ଷ ଜାନୁୟାରୀ ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୁଲିସ ସୋମାଲିକାଙ୍କ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ।