ବିବାଦ ବଢିବା ପରେ ସାମ୍ୱାଦିକାଙ୍କୁ କ୍ଷମା ମାଗିଲେ ଟୁଟୁ ନାୟକ

କହିଲେ- ତୁମେ ମୋ ଝିଅ ବୟସର… ସବୁ ମିଡ଼ିଆ ଭାଇଭଉଣୀଙ୍କ ପରି ମୋ ପରିବାରର ସଦସ୍ୟ

ବିବାଦ ବଢିବା ପରେ ସାମ୍ୱାଦିକାଙ୍କୁ କ୍ଷମା ମାଗିଲେ ଟୁଟୁ ନାୟକ

ଭୁବନେଶ୍ୱର: ମହିଳା ସାମ୍ୱାଦିକଙ୍କୁ ଚାପୁଡ଼ା ମାରିବା ଘଟଣାରେ ବିବାଦ ବଢିବା ପରେ ଭୁଲ୍ ମାଗିଛନ୍ତି ପ୍ରଯୋଜଜ ଟୁଟୁ ନାୟକ । ନିଜ କ୍ଷମା ପ୍ରାର୍ଥନାରେ ଟୁଟୁ ଲେଖିଛନ୍ତି, ‘ତୁମେ ମୋର ଝିଅ ବୟସର ହେବ, ତୁମେ ମୋତେ ବହୁତ ଦିନରୁ ଜାଣିଛ ଏବଂ ମୋ ଘରକୁ ମଧ୍ୟ ତିନି ଚାରି ଥର ଆସିଛ ତେଣୁ ମୁଁ ତୁମକୁ ସବୁ ମିଡ଼ିଆ ଭାଇଭଉଣୀଙ୍କ ପରି ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ବି କରେ ।

ସେ ଲେଖିଛନ୍ତି, ‘ଆଜି ମୁଁ ସ୍ଵାତି ସିନେମା ହଲରୁ ମହାରାଜା ସିନେମା ହଲକୁ ଆଉ ଗୋଟେ ପ୍ରିମିୟର ସୋକୁ ଗଲାବେଳେ ତୁମେ ମାନେ ଗେଟ୍ ମଝିରେ ଠିଆ ହୋଇଥିଲ । ମୁଁ ତୁମକୁ ଡ଼ାକିଥିଲି କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା, ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ୍ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଦେଇଥିଲେ, ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି ତୁ ଖାଇନୁ କିରେ ? ଆଉ ତୁମେ ହସିକି କହିଥିଲ ହଁ ଭାଇ ମୁଁ ଖାଇଛି । ତାପରେ ମୁଁ ଚାଲି ଯାଇଥିଲି ।

ଟୁଟୁ ଆହୁରି ଲେଖିଛନ୍ତି, ‘କିଛି ସମୟ ପରେ ମିଡ଼ିଆ ସୂତ୍ରରୁ ଜାଣିବାକୁ ପାଇଲି ଯେ ଏ ଘଟଣା ଯୋଗୁଁ ତୁମ ମନକୁ ବହୁତ ଆଘାତ ଲାଗିଛି, ଏହା ଜାଣିବା ପରେ ମୁଁ ତୁମ ମୋବାଇଲ କୁ ଚାରି ପାଞ୍ଚ ଥର କଲ କରିଥିଲି ତୁମକୁ ସରି କହିବା ପାଇଁ କିନ୍ତୁ ତୁମେ ଫୋନ ଉଠେଇପାରି ନ ଥିଲ । ତେଣୁ ଏ ମେସେଜ ଜରିଆରେ ତୁମକୁ ଜଣେଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ ସରି ମାଗୁଛି’ ।

ଉଲ୍ଲେଖଯୋଗ୍ୟ ଯେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟରତ ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ ଟୁଟୁ ନାୟକ ପିଟିଥିବା ସେ ଅଭିଯୋଗ କରିଥିଲେ । ଏନେଇ ସାମ୍ୱାଦିକା ଖାରବେଳ ନଗର ଥାନାରେ ମାମଲାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।