କିଏ ଏହି ନିଲମ ? କଣ ଥିଲା ତାଙ୍କ ଉଦ୍ଦେଶ୍ୟ ?

ସଂସଦ ବାହାରେ ଗିରଫ ହୋଇଥିବା ନିଲମ କିଏ, କାହିଁକି କରିଥିଲେ ଏଭଳି ଉଦ୍ୟମ?

କିଏ ଏହି ନିଲମ ? କଣ ଥିଲା ତାଙ୍କ ଉଦ୍ଦେଶ୍ୟ ?

ନୂଆଦିଲ୍ଲୀ ୧୩।୧୨: ସଂସଦ ଆକ୍ରମଣର ବାର୍ଷିକ ଅବସରରେ ବୁଧବାର କିଛି ଯୁବକଯୁବତୀ ସଂସଦ ଭବନ ଭିତରେ ଓ ବାହାରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି। ଲୋକସଭା ଭିତରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ସାଂସଦଙ୍କ ଗହଣରେ ପହଞ୍ଚିଥିବା ବେଳେ ଗୃହରେ କଲର ଗ୍ୟାସ୍‌ ସ୍ପ୍ରେ କରିଛନ୍ତି। ସେପଟେ ସଂସଦ ବାହାରେ ଜଣେ ଯୁବତୀ ଓ ଅନ୍ୟଜଣେ ଯୁବକ କଲର କ୍ୟାଣ୍ଡେଲ ସ୍ପ୍ରେ କରି ସ୍ଲୋଗାନ ଦେଉଥିବା ଦେଖାଯାଇଛନ୍ତି। ସଂସଦ ଭବନ ବାହାରୁ ଧରାପଡିଥିବା ମହିଳାଙ୍କୁ ନିଲମ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେ ହରିୟାଣା ଜିନ୍ଦ୍ ବାସିନ୍ଦା ବୋଲି ଜଣାପଡିଛି।

ସଂସଦ ଭବନ ବାହାରେ ହଙ୍ଗାମା କରିଥିବା ମହିଳା ନିଲମଙ୍କ ବୟସ ୪୨ ବର୍ଷ ଓ ସେ ହିସାରର ରେଡସ୍କୋୟାର ମାର୍କେଟ ପଛପଟେ ପେଇଙ୍ଗଗେଷ୍ଟ ଭାବେ ରହି ହରିୟାଣା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ବୋଲି ଜଣାପଡିଛି। ସଂସଦ ଭବନ ବାହାରେ ଧରାପଡିଥିବା ଏହି ମହିଳା ନିଲମ ରାଜନୀତିରେ ଋଚି ରଖନ୍ତି ବୋଲି କହିଛନ୍ତି। ତେବେ ନିଲମଙ୍କ ମା କହିଛନ୍ତି ଯେ ସେ ୨ ଦିନ ପୂର୍ବେ ଘରେ ଥିଲେ। ଘରୁ ଯିବା ବେଳେ ସେ ହିସାର ଯାଉଥିବା କହି ଯାଇଥିଲେ।

ତେବେ ନିଲମଙ୍କ ଭାଇ କହିଛନ୍ତି ଯେ ସେ ଗତ ଦିଲ୍ଲୀ କୃଷକ ଆନ୍ଦୋଳନରେ ସାମିଲ ଥିଲେ ଓ ଆନ୍ଦୋଳନରେ ଛାତ୍ରଙ୍କ ସ୍ୱର ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଚାହାନ୍ତି ଓ ଏଥି ପାଇଁ ଶିକ୍ଷକ ପ୍ରାର୍ଥୀ ପରୀକ୍ଷା (ଏଚଟିଇଟି) ମଧ୍ୟ ଦେଇଛନ୍ତି। ସଂସଦ ଭିତରେ ଦୁଇ ଜଣ ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ ପ୍ରବେଶ କରିଥିବା ବେଳେ ସଂସଦ ବାହାରେ ରଙ୍ଗୀନ ଗ୍ୟାସ୍‌ ଛାଡି ଭାରତ ମାତାକି ଜୟ, ଜୟଭୀମ, ଏକଛତ୍ରବାଦ ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ। ପ୍ରଦର୍ଶନକାରୀମାନେ ସେମାନଙ୍କ କଥା ଶୁଣାଯାଉ ନଥିବାରୁ ସେମାନେ ଏପରି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସଂସଦ ବାହାରର ଏହି ଘଟଣାରେ ଦିଲ୍ଲୀ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ନିଲମଙ୍କ ସହିତ ଅନମୋଲ ସିନ୍ଦେ ନାମକ ଜଣେ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି। ଅନମୋଲଙ୍କ ପିତାଙ୍କ ନାମ ଧନରାଜ ଓ ସେ ମହାରାଷ୍ଟ୍ର ଲାଟୁରର ବାସିନ୍ଦା। ଅନମୋଲଙ୍କ ବୟସ ୨୫ ବର୍ଷ ଏହି ଘଟଣା ସଂସଦ ଭବନ ବାହାରେ ଟ୍ରାନ୍ସପୋର୍ଟ ଭବନ ସମ୍ମୁଖରେ ହୋଇଛି। ଦିଲ୍ଲୀ ପୋଲିସ ଅନୁସାରେ ଦୁଇଜଣଙ୍କୁ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନକୁ ନିଆଯାଇଛି। ସେମାନଙ୍କୁ ଦିଲ୍ଲୀ ପୋଲିସ ସହିତ ଇଣ୍ଟେଲିଜେନ୍ସୀ ବ୍ୟୁରୋ ଟିମ୍‌ ମଧ୍ୟ ପଚରା ଉଚରା କରୁଛନ୍ତି।