ଅଚଳ ହେବାକୁ ଯାଉଛି ପାରାଦୀପ ବନ୍ଦର
ଜେସିସି ର ଆନ୍ଦୋଳନ ଡାକରାରେ ପରିବହନ ବ୍ୟବସ୍ଥା ରେ ସୃଷ୍ଟି ହେବାକୁ ଯାଉଛି ଅଚଳାବସ୍ଥା

ପାରାଦୀପ : ଦେଶର ଏକ ନମ୍ବର ବନ୍ଦର ରେ ଏବେ ସୃଷ୍ଟି ହେବାକୁ ଯାଉଛି ଅଚଳାବସ୍ଥା । ଏହି ଅଚଳାବସ୍ଥା ସୃଷ୍ଟି କରିବାକୁ ଯାଉଛି ଜେସିସି ବା ଜଏଣ୍ଟ୍ କୋଅର୍ଡିନେସନ୍ କମିଟି ବା ମିଳିତ ସମନ୍ୱୟ ସମିତି ।
ପାରାଦୀପ ରେ ଥିବା ୩ଟି ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ ଏହି ଜେସିସି ଏବେ ରାଜରାସ୍ତାକୁ ଓହ୍ଲାଇବା କୁ ନିଷ୍ପତ୍ତି ନେଇଛି । କାହିଁକି ନା କହି କହି ଶୁଣିଲେନି କି ଲେଖି ଲେଖି କେହି ମାନିଲେନି, ଶେଷରେ ରାସ୍ତାକୁ ଓହ୍ଲାଇବ ଜେସିସି, ଏନେଇ ଆସନ୍ତା ଅଗଷ୍ଟ ୧୬ତାରିଖରେ ଆନ୍ଦୋଳନ ଡ଼ାକରା ଦେଇଛି ଜେସିସି ।
ବିଗତ କିଛି ଦିନ ହେବ ପାରାଦୀପ ରେ ଟ୍ରାଫିକ୍ ସମସ୍ୟା ସମ୍ପୁର୍ଣ୍ଣ ଭୁଷୁଡି ପଡି ଗୁରୁତର ସମସ୍ୟା ଆକାର ନେଇଛି । ସେଥିରେ ପୋଲିସ୍ କିମ୍ବା ପ୍ରଶାସନ କୋୖଣସି ପଦକ୍ଷେପ ନ ନେବାରୁ ଆଜି ଏହି ପରି ଗୁରୁତର ନିଷ୍ପତ୍ତି ନିଆଯାଇଛି । ପାରାଦୀପ କୁ ଖଲାସ କରିବାକୁ ଆସୁଥିବା ଯେଉଁ ଆଇରନ୍ ଗାଡ଼ି ସବୁ ଧାଡ଼ି ଭାଙ୍ଗି ବେପରୁଆ ପରିଚାଳନା କରୁଛନ୍ତି ଏବଂ ରାସ୍ତା ସମସ୍ୟା ନେଇ ଯେପରି ଦୁର୍ଘଟଣା ବୃଦ୍ଧି ପାଉଛି ସେଥିରେ ଅନେକ ନିରିହ ଲୋକ ଙ୍କ ଜୀବନ ହାନି ଘଟୁଛି। ଘରୁ ସକାଳୁ ବାହାରିବା ପରେ ସନ୍ଧ୍ୟାରେ ଘରେ ପହଞ୍ଚିବ କି ନାହିଁ ସେ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି । ପାରାଦୀପ ବନ୍ଦର ତାର ବ୍ୟବସାୟ ବୃଦ୍ଧି କରିବା ଲକ୍ଷ୍ୟରେ ରେକର୍ଡ଼ ଉପରେ ରେକର୍ଡ଼ କରି ଚାଲୁଛି କିନ୍ତୁ ଏହାର ଅନ୍ତରାଳେ ଯେ ସାଧାରଣ ଲୋକେ କି ସମସ୍ୟା ଭୋଗୁଛନ୍ତି ସେନେଇ କେବେ ଜାଣିବାକୁ କେହି ଚେଷ୍ଟା କରିନାହାଁନ୍ତି । ସବୁ କିଛି ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉପରେ ଛାଡି ନିରବଦ୍ରଷ୍ଟା ସାଜି ବସି ଯାଉଛନ୍ତି । ତେବେ ପୁର୍ବରୁ ସଡ଼କ ସୁରକ୍ଷା ନେଇ ଏକ ଶୃଙ୍ଖଳିତ ବିଦ୍ଧି ବ୍ୟବସ୍ଥା ରେ ଗାଡ଼ି ଚଳାଚଳ କରୁଥିଲା କିନ୍ତୁ କଣ ପାଇଁ ତାହା ବନ୍ଦ ହେଲା ସେନେଇ ସମସ୍ତ ଙ୍କ ର ସନ୍ଦେହ ପ୍ରକାଶ ପାଉଛି। ତାଛଡା ପାରାଦୀପ ରେ ଥିବା ୩ଟି ଟ୍ରକ୍ ମାଲିକ ସଂଘରେ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଗାଡ଼ି ମାଲିକ ନିଜର ଜୀବନ ଜୀବିକା ପାଇଁ ଟ୍ରକ୍ ମାଲିକ ସଂଘ ଜରିଆରେ ନିଜର ଟ୍ରକ୍ ଚଳାଉଛନ୍ତି କିନ୍ତୁ କେତେକ ଅସାଧୁ ଟ୍ରାନ୍ସପୋର୍ଟର ନିଜର ବ୍ୟକ୍ତିଗତ ସ୍ବାର୍ଥ ଓ ଲାଭଖୋର ମନୋବୃତ୍ତି ନେଇ ବାହାର ଅଞ୍ଚଳର ଗାଡ଼ି ସବୁ ପରିବହନ ରେ ନିୟୋଜିତ କରୁଛନ୍ତି । ଯେଉଁଥିରେ ସ୍ଥାନୀୟ ଅଞ୍ଚଳ ଗାଡ଼ି ମାଲିକ ମାନଙ୍କ ର ବିପୁଳ କ୍ଷତି ଘଟୁଛି । ଯେଉଁ ଥିରେ ପ୍ରାୟ ୫୦ହଜାର ପରିବାର ଉପରେ ପେଟ ପାଟଣା ନେଇ ପ୍ରଭାବ ପଡୁଛି ।
ତେବେ ଏହି ପରି କେତେକ ସମସ୍ୟା ନେଇ ଜେସିସି ବା ମିଳିତ ସମନ୍ୱୟ ସମିତି ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ସେ ଦୃଷ୍ଟିରୁ ଜେସିସି ତାର ମିଳିତଭାବେ ବୈଠକ କରି ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ଜେସିସି ପୁନର୍ବାର ପତ୍ର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପ ଆରକ୍ଷୀ ଅଧିକ୍ଷକଙ୍କ ସମେତ ପାରାଦୀପ ଥାନା ଅଧିକାରୀ ଓ ଲକ୍ ଥାନା ଅଧିକାରୀ ଙ୍କୁ ମଧ୍ୟ ଜଣାଇ ଦେଇଛି । ଏପରିକି ପରିଶେଷରେ ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ତଥା ରାଜ୍ୟ ଶୀଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ତେବେ ଏହି ପତ୍ରରେ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ସମୟ ଅବଧି ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତି ନିଆ ନ ଯାଏ ତାହେଲେ ଅଗଷ୍ଟ ୧୬ ତାରିଖ ଅର୍ଥାତ୍ ସ୍ବାଧୀନତା ଦିବସ ପରଦିନ ପାରାଦୀପ ଅଠରବାଙ୍କି ଛକଠାରେ ଏକ ବିରାଟ ଜନ ଆନ୍ଦୋଳନ ଛିଡ଼ା ହେବ । ଯେଉଁ ଥିରେ ପାରାଦୀପ ବନ୍ଦର କୁ ଯାତାୟାତ କରୁଥିବା ସମସ୍ତ ପଣ୍ୟ ବାହି ଯାନ ବନ୍ଦ୍ ହେବା ସହ ଅଖଚକ ଜାମ୍ ହେବା ନେଇ ଧାରଣା ଧର୍ମଘଟ ଚାଲିବ ବୋଲି ଜେସିସି ପକ୍ଷରୁ କୁହାଯାଇଛି । ତେବେ ଏହି ଆନ୍ଦୋଳନରେ ପାରାଦୀପ ବନ୍ଦର ସମ୍ପୁର୍ଣ୍ଣ ଅଚଳ ହେବା ସହିତ ଇଫକୋ, ପିପିଏଲ ଓ ଆଇଓସିଏଲ୍ ଆଂଶିକ ପ୍ରଭାବ ପଡିବା ନେଇ ଆଶଙ୍କା ଦେଖା ଦେଇଛି। ତେବେ ବେଳ ଥାଉଁ ଥାଉଁ ସମାଧାନ ର ସୁତ୍ର ବାହାର କରି ଏହି ଦୁର୍ବାର ଆନ୍ଦୋଳନ କୁ ପ୍ରଶମିତ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।