ଅବିଶ୍ଵାସନୀୟ : ଅପରାଧୀଙ୍କ ବନ୍ଧୁକରେ ପୁଲିସ ର ଗୁଳି !!!! ମିଳୁନି ଦିଆଯାଇଥିବା ଗୁଳିର ହିସାବ
ଫାୟାରିଂ ରେଞ୍ଜ୍ ପ୍ରଶିକ୍ଷଣ ଗୁଳିର ହିସାବ ନାହିଁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳିର ଉତ୍ତର ଦାୟିତ୍ବ ରହୁନି ଶିକାରୀଙ୍କ ପାଖରୁ ଜବତ ୧୩୦୦ ଗୁଳିର ହିସାବ ଦେଇ ପାରିଲେନି ଏସ୍ପି

କଟକ : ଅପରାଧୀଙ୍କ ବନ୍ଧୁକରେ ବ୍ୟବହାର ହେଉଛି ପୁଲିସର ଗୁଳି! ଅପରାଧୀଙ୍କ ପାଖରେ ଯେଭଭଳି ଅତ୍ୟନ୍ତ ସହଜ ଭାବେ ପର୍ଯ୍ୟାପ୍ତ ଗୁଳି ଉପଲବ୍ଧ ହେଉଛି, ସେଥିରୁ ଏ ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ଅପରାଧ ମାମଲାରେ ପୁଲିସ ଜବତ କରୁଥିବା ବନ୍ଧୁକ ସଂପର୍କରେ ଯେଉଁଭଳି ସୂଚନା ଦିଆଯାଉଛି, ଜବତ ଗୁଳି ସଂପର୍କରେ ସେଭଳି ତଥ୍ୟ ରଖାଯାଇ ପାରୁ ନାହିଁ। ଗୁଳି ନିର୍ଦ୍ଦିଷ୍ଟ ଭାବେ କେଉଁଠି ତିଆରି ହେଉଛି, ଅଥବା କେଉଁଠୁ ଆସୁଛି, ସେ ସଂପର୍କରେ ପୁଲିସ ସ୍ପଷ୍ଟ ତଥ୍ୟ ରଖୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।
ନିର୍ଦ୍ଦିଷ୍ଟ କେତେକ କାରଣରୁ ଏବେ ଏଭଳି ସନ୍ଦେହ ବଢିବାରେ ଲାଗିଛି। ଗୋଟିଏ ପଟେ ଅଭ୍ୟାସ ପାଇଁ ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କୁ ଯେଉଁ ଗୁଳି ଦିଆଯାଉଛି, ତାହାର ନିର୍ଦ୍ଦିଷ୍ଟ ହିସାବ ରଖାଯାଉ ନାହିଁ। ଖୋକାର ଯେଉଁ ହିସାବ ରହୁଛି, ତାହାକୁ ନେଇ ବି ଅନେକ ସନ୍ଦେହ ରହୁଛି। ଦ୍ବିତୀୟରେ ଲାଇସେନ୍ସ ପ୍ରାପ୍ତ ବଂଧୁକରେ ଗୁଳି ବ୍ୟବହାରର ବି ବିଧିବଦ୍ଧ ଯାଞ୍ଚ ହେଉ ନାହିଁ। ଅନ୍ୟପଟେ ଅପରାଧୀ ମାନଙ୍କ ଠାରୁ ଯେଉଁ ଗୁଳି ଜବତ ହେଉଛି, ତାହା କେଉଁଠୁ ଆସୁଛି, ତାହାର ବି ବିଧିବଦ୍ଧ ଯାଞ୍ଚ ହେଉନାହିଁ। ଏଭଳି ସ୍ଥିତିରେ ସରକାରୀ ସ୍ବୀକୃତିପ୍ରାପ୍ତ ଗୁଳି ଅଧିକରୁ ଅଧିକ ଅପରାଧୀ ଓ ଶିକାରୀଙ୍କ ବ୍ୟବହାରରେ ଆସୁଥିବା ଅଭିଯୋଗ ହେଉଛି।
ଫାୟାରିଂ ରେଞ୍ଜ୍ ପ୍ରଶିକ୍ଷଣ ଗୁଳିର ହିସାବ ନାହିଁ
ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳିର ଉତ୍ତର ଦାୟିତ୍ବ ରହୁନି
ଶିକାରୀଙ୍କ ପାଖରୁ ଜବତ ୧୩୦୦ ଗୁଳିର ହିସାବ ଦେଇ ପାରିଲେନି ଏସ୍ପି
ଏ ସଂପର୍କରେ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଥିଲେ ବି ପୁଲିସ ବିଭାଗ ଏହାକୁ ଚତୁରତାର ସହିତ ଏଡାଇ ଦେଉଥିବା ସୂଚନା ଅଧିକାର କର୍ମୀ ଆଇନଜୀବୀ ଜୟନ୍ତ ଦାସ ଅଭିଯୋଗ କରିଛନ୍ତି। ଗତ ଜାନୁଆରି ମାସରେ ଶ୍ରୀ ଦାସ ମୟୂରଭଞ୍ଜର ଏକ ପ୍ରସଙ୍ଗକୁ ନେଇ ଜନଶୁଣାଣିରେ ଅଭିଯୋଗ କରିବା ସହିତ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ମାଗିଥିଲେ। ୨୦୨୨, ଅକ୍ଟୋବର ୨୭ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରରକୁ ଆଧାର କରି ସେ ଅଭିଯୋଗ କରିଥିଲେ। ଶିମିଳିପାଳର ବାଇଗୋ ହୋ ନାମକ ଜଣେ ଶିକାରୀ ପାଖରୁ ୧୨୯୯ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା। ତେବେ ଏହି ଶିକାରୀଙ୍କ ପାଖରୁ ଏତେ ଗୁଳି କେଉଁଠି ଆସିଲା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ। ପିସ୍ତଲ ଓ ରିଭଲଭରଭର ଚୋରାରେ ତିଆରି କରାଯାଇପାରିବ। କିନ୍ତୁ ଗୁଳି ତିଆରି ବ୍ୟୟବହୁଳ ଏବଂ ଚୋରାରେ ତାହା ପ୍ରସ୍ତୁତ କରିବା ସହଜ ନୁହେଁ। ତେଣୁ ଏତେ ପରିମାଣରେ ଗୁଳି କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।
ପୁଲିସ, ଅର୍ଦ୍ଧ ସାମରିକ ବାହିନୀର ଫାୟାରିଂ ପ୍ରଶିକ୍ଷଣ ବେଳେ ଚଂଚକତା କରି ଏହି ଗୁଳିକୁ ଅପରାଧୀଙ୍କୁ ବିକ୍ରି କରାଯାଉଛି ବୋଲି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି କରିଥିଲେ। ଅପରାଧୀଙ୍କ ପାଖରୁ ଖୋକା ରଖି ଜୀବନ୍ତ ଗୁଳି ବିକ୍ରି କରାଯାଉଛି। ପରେ ଖୋକାକୁ ନେଇ ଅସ୍ତ୍ରାଗାରରେ ଜମା କରାଯାଉଥିବା ସେ ଅଭିଯୋଗ କରିଥିଲେ। କିନ୍ତୁ ମୟୂରଭଞ୍ଜ ଏସ୍ପି ଏହାକୁ ସଂପୂର୍ଣ୍ଣ ଅସ୍ବୀକାର କରିବା ସହିତ ଅସ୍ତ୍ରାଗାରରେ ଏହାର ଠିକ୍ ହିସାବ ରହିବା ଓ ଏ ନେଇ ନିୟମ କଡାକଡି ଥିବା କହିଥିଲେ। ତେବେ ସଂପୃକ୍ତ ଶିକାରୀଙ୍କ ପାଖରେ ଏତେ ଗୁଳି କେଉଁଠୁ ଆସିଲା, ତାର ଉତ୍ତର ଏସ୍ପି ରଖି ପାରି ନାହାନ୍ତି। ଯେହେତୁ ଚୋରାରେ ଗୁଳି ପ୍ରସ୍ତୁତ ହେବା କଷ୍ଟ, ତେଣୁ ଚୋରାରେ ଗୁଳି କାରବାର ରୋକିଲେ, ଅପରାଧ ଅନେକ ପରିମାଣରେ ହ୍ରାସ ପାଇଯିବ ବୋଲି ଆଶା କରାଯାଉଛି।