କର୍ତ୍ତବ୍ୟରେ ଅବହେଳା , ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ
କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍ଣରେ ନାବାଳିକା ମୃତ୍ୟୁ

କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ବୁଧବାର ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁଙ୍କୁ ନିଲମ୍ବନ କରିଛି। କର୍ତ୍ତବ୍ୟରେ ଅବହେଳା ନେଇ ନଗର ଉନ୍ନୟନ ବିଭାଗ ନିଲମ୍ବନ କରିଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, ବିକଳ୍ପ ବ୍ୟବସ୍ଥା ନଥିବାରୁ ସହଜରେ ରାସ୍ତା ପାର ହେବା ପାଇଁ ଗହ୍ମାଡିଆଠାରେ ଏକ ପାଣି ପାଇପ ତଳେ ୧୭ ବର୍ଷୀୟ ଛାତ୍ରୀ ଜଣକ ଗଳିକି ଯାଉଥିବା ବେଳେ ବିପଦସଙ୍କୁଳ ସ୍ଥିତିରେ ଥିବା ଗୋଟିଏ ପାଇପ ତାଙ୍କ ଅଣ୍ଟା ଉପରେ ପଡି ଯାଇଥିଲା। ସେଠାରେ କ୍ରେନ୍ ଓ ଜେସିବି ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଏସ୍ସିବି ଓ ପରେ ସିଡିଏର ଅଶ୍ବିନୀ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।