କନ୍ଦରପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣା, ଦୁଇ ସାଙ୍ଗ ଜୀବନ୍ତ ଦଗ୍ଧ
ଅଭାବନୀୟ ଘଟଣା କ୍ରମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଜୀବନ୍ତ ଜଳି ମୃତ୍ୟୁ ବରଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରଛି।

କଟକ: ଅଧା ରହିଗଲା ଜଗନ୍ନାଥ ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । କଟକ କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା | ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏକ ପଲସର ବାଇକରେ ଉଭୟ ତିର୍ତୋଲରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ । ମୃତକ ଦୁଇ ଜଣ ହେଲେ ଦିଲୁ ଦାସ, ଇସାନ ସାହୁ । ସୂଚନା ମୁତାବକ ଆଜି ସକାଳେ ୩ ଟି ବାଇକରେ ୬ ଜଣ ସାଙ୍ଗ ପୁରୀ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ଏକ ପଲସର ବାଇକରେ ଦ୍ରୁତ ଗତିରେ ଆସୁଥିବା ଦୁଇ ଜଣ ଯୁବକ କନ୍ଦରପୁର ଟୋଲ ଗେଟ ନିକଟରେ ଥିବା ଏକ ମିକ୍ସଚର ମେସିନ୍ ସହ ଧକ୍କା ହୋଇଥିଲା । ଫଳରେ ବାଇକର ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଯୁବକଙ୍କ ଦେହରେ ଲାଗିଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ କନ୍ଦରପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।