ଶାନ୍ତିର ବାର୍ତ୍ତା ବହନ କରୁଛି ଗୁରୁପ୍ରିୟା ସେତୁ
ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୮୬ଟି ଅଙ୍ଗନବାଡି କେନ୍ଦ୍ର ଖୋଲିପାରିଛି।

ଦିନେ ଯେଉଁଠି ବିକାଶ ଥିଲା ସ୍ବପ୍ନ, ସେହି ପାହାଡ଼ ଘେରରେ ଥିବା ଶତାଧିକ ଗାଁକୁ ବାଲିମେଳା ଜଳଭଣ୍ଡାର (ଚିତ୍ରକୋଣ୍ଡା ) ବିଚ୍ଛିନ୍ନ କରିଥିଲା। ସମାଜିକ ଓ ଆର୍ଥିକ କ୍ଷେତ୍ରର ଉନ୍ନତି ଲୋକଙ୍କ ପାଇଁ ଦିବା ସ୍ବପ୍ନ ସାଜିଥିଲା। ଲାଲଗଡର ଆଖ୍ୟା ପାଇଥିବା ସେହି ଅଞ୍ଚଳରେ ପ୍ରତିଟି ମୁହୂର୍ତ୍ତରେ ରହିଥିଲା ଭୟର ବାତାବରଣ।
ଏଠି ଲାଲ ପତାକା ବଦଳରେ ଏବେ ଉଡୁଛି ତ୍ରିରଙ୍ଗା। ଗମନାଗମନ ଠାରୁ ଆରମ୍ଭ କରି ସାଧାରଣ ଜୀବନଯାପନ ଶୈଳୀରେ ଆସିଛି ପରିବର୍ତ୍ତନ। ସମାଜର ମୁଖ୍ୟ ସ୍ରୋତରେ ଆଜି ସମସ୍ତେ ସାମିଲ ହୋଇପାରିଛନ୍ତି। ଅନେକ ସମ୍ଭାବନା, ଦୁଃଖ, ଯନ୍ତ୍ରଣା ଉପଶମର ଆଶା ସଞ୍ଚାର କରିଛି ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ଦ୍ବୀପାଞ୍ଚଳବାସୀଙ୍କର ଜୀବନରେଖା ପାଲଟିଛି। ହଜାର ହଜାର ଲୋକ ଦୀର୍ଘଦିନ ଧରି ଭୋଗୁଥିବା ଜଳବନ୍ଦୀରୁ ମୁକ୍ତ ହେବା ସହ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ ହୋଇଛି। ବିଚ୍ଛିନ୍ନାଞ୍ଚଳ ଭାବେ ଥିବା ୯ଟି ପଞ୍ଚାୟତ ସ୍ବାଭିମାନ ଅଞ୍ଚଳର ଏକ ନୂତନ ପରିଚୟ ପାଇଛି। ଏହି ସେତୁ ଦ୍ବାରା ଆଜି ବହୁ ଲୋକଙ୍କ ଭାଗ୍ୟ ବଦଳିପାରିଛି।
ଅନେକ ଘାତ ପ୍ରତିଘାତ, ଅନେକ ପ୍ରତିବନ୍ଧକର ସାମ୍ନା କରିଛି ଏହି ସେତୁ। କେତେବେଳେ ମାଓବାଦୀଙ୍କ ଭୟ ତ ଆଉ କେତେବେଳେ ପାହାଡିଆ ନଦୀର ପ୍ରଖର ସ୍ରୋତ ଯୋଗୁଁ ନିର୍ମାଣ ବାଧକ ସାଜିଥିଲା। ଏତେ ସବୁ ଝଡଝଞ୍ଝାକୁ ସାମ୍ନା କରି ବର୍ଷ ବର୍ଷର ପ୍ରଚେଷ୍ଟା ଦ୍ବାରା ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଯୋଡିଛି ଗୁରୁପ୍ରିୟା ସେତୁ। ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨୦୧୮ ମସିହା ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କଲେ। ଜଳଭଣ୍ଡାର ଦୁଇ କୂଳରେ ବିଏସଏଫ ଯବାନ ପହରା ଦେଉଥିବା ବେଳେ ୧୮୭.୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ୯୧୦ ମିଟର ଲମ୍ବର ସେତୁ। ଯାହାଫଳରେ ୯ଟି ପଞ୍ଚାୟତର ୧୫୧ଟି ଗାଁକୁ ସଡକପଥର ବାଟ ଫିଟିଲା। ବଡପଡା, ପାପରମେଟଲା, ଧୁଳିପୁଟ, ରାଲଗେଡା, ଯୋଡାମ୍ବ, ପଣସପୁଟ, ଯନ୍ତ୍ରୀ, ଅଣ୍ଡ୍ରାପାଲି ଓ ଗାଜଲମାମୁଡି ଗ୍ରାମରେ ଏବେ ୬୯୯୫ଟି ଘର ରହିଛି। ୧୩୩୬୫ ଜଣ ପୁରୁଷ ଓ ୧୩୭୦୭ ଜଣ ମହିଳା ବସବାସ କରୁଛନ୍ତି। ସେତୁ ନିର୍ମାଣ ପରେ ବଡପଡାରୁ ହନ୍ତାଳଗୁଡା ଘାଟି ଦେଇ ପଣସପୁଟ ରାସ୍ତା, ପାପରମେଟଲାରୁ ଧୂଳିପୁଟ ଓ ବଡପଡାରୁ ରାଲେଗେଡା ପର୍ଯ୍ୟନ୍ତ ବହୁ ଦୁର୍ଗମ ଅଞ୍ଚଳରେ ୧୨୦ରୁ ଅଧିକ ରାସ୍ତା ଓ ହାଇଲେଭେଲ୍ ବ୍ରିଜ ନିର୍ମାଣ ହୋଇପାରିଛି। ଦେଶୀ ଡଙ୍ଗା ଓ ଲଞ୍ଚ ଉପରେ ଆଉ ଆଗଭଳି ନିର୍ଭର କରିବାକୁ ପଡୁନି। ଘୋଡାର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି। ପଣସପୁଟ ଓ ଯୋଡାମ୍ବକୁ ଓଏସଆରଟିସି ବସ ଚଳାଚଳ କରୁଥିଲା। ଏବେ ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ କରୁଛି। ଜାନବାଇ ଓ ଯୋଡାମ୍ବ ଠାରେ ପି.ଏଚ.ସି. ରହିଥିବା ବେଳେ ଏବେ ୧୦୮ ଆମ୍ବୁଲାନ୍ସ, ବୋଟ ଓ ବାଇକ ଆମ୍ବୁଲାନ୍ସ ସୁବିଧା ହୋଇପାରିଛି।
ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୮୬ଟି ଅଙ୍ଗନବାଡି କେନ୍ଦ୍ର ଖୋଲିପାରିଛି। ପିଲାମାନେ ପଢ଼ିବା ପାଇଁ ବିଦ୍ୟାଳୟ ଓ ଘର ଅଭାବ ରହିଥିଲା। ଏବେ ନୂତନ ବିଦ୍ୟାଳୟ କୋଠା ସହିତ ହଷ୍ଟେଲ ଖୋଲାଯାଇଛି। ନେଟ୍ୱାର୍କ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଥିଲା ଏ ଅଞ୍ଚଳ। ୭୭ଟି ଟାୱାର ମଧ୍ୟରୁ କେତୋଟି ସ୍ଥାପନ ହୋଇଛି ଆଉ କିଛି ନିର୍ମାଣ ଚାଲିଛି। ବ୍ୟାଙ୍କ ସେବା ପାଇଁ ଚିତ୍ରକୋଣ୍ଡାକୁ ଯାଉଥିବା ବେଳେ ଏବେ ବଡପଡାରେ ଆମ ବ୍ୟାଙ୍କ ଖୋଲିଛି ଓ ଆଗକୁ ଅନ୍ୟ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବାର ଯୋଜନା ରହିଥିବା ପ୍ରଶାସନ କହିଛି। ଗାଁ ଗୁଡିକୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବା ସହ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପାପରମେଟଲା ଓ ଯୋଡାମ୍ବ ଠାରେ ନୂତନ ଥାନା ଖୋଲିଛି। ବହୁ ସ୍ଥାନରେ ବିଏସଏଫ କ୍ୟାମ୍ପ ଖୋଲିଥିବା ବେଳେ ଯବାନଙ୍କ କୁମ୍ବିଂ ଅପରେସନ ଯୋଗୁଁ ମାଓ ହିଂସା ଦୂର ହୋଇପାରିଛି। ଗୁରୁପ୍ରିୟା ସେତୁ ଶାନ୍ତିର ବାର୍ତ୍ତା ବହନ କରୁଛି। ସ୍ବାଭିମାନ ଅଞ୍ଚଳବାସୀ ଗଣତନ୍ତ୍ରରେ ସାମିଲ ହୋଇ ନିଜର ମତଦାନ କରିପାରୁଛନ୍ତି। ଏବେ ବିଚ୍ଛିନାଞ୍ଚଳ ଶବ୍ଦଟି କେବଳ ଇତିହାସର ଶବ୍ଦ ପାଲଟିଛି।