ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’

ସୁନ୍ଦରଗଡ଼ ଜିଲ୍ଲାରେ ପାଇଲଟ୍‌ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ 

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’

 ସୁନ୍ଦରଗଡ଼: ‘ଗେଣ୍ଡୁ ଫୁଲ ଚାଷ’ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ପାଇଲଟ୍‌ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ କରାଯାଇଛି। ଏଥିରେ ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟା ସାମିଲ ଅଛନ୍ତି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମା’ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି। ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ଲକ୍ଷ୍ୟ ରହିଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏସଏଚଜି ମା’ମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି। ଚାରା ଲଗାଇବା ସହ ଭଲ ଫୁଲ କିପରି ଅମଳ ହେବ ସେ ଦିଗରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ଫୁଲ ଚାଷ ପାଇଁ ଏସଏଚଜି ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି ଚାଷକୁ ସଂପ୍ରସାରଣ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍‌ ଚାହିଦା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଫୁଲକୁ ନେଇ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ଏସଏଚଜି ମା’ମାନେ ଫୁଲ ଯୋଗାଇ ଦେଇଥା’ନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ସହିତ ଅତ୍ୟାଧୁନିକ ପରିମଳ ପରିଚାଳନା, ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଆଦି କାର୍ଯ୍ୟକ୍ରମରେ ଏସଏଚଜି ମା’ମାନେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି।