ଏମ୍ସରେ ଏବେବି ପଡି଼ ରହିଛି ଶବ, ହୋଇନି ୨୮ ମୃତଦେହର ଚିହ୍ନଟ
ବାହାନଗା ଟ୍ରେନ ଦୁର୍ଘଟଣାକୁ ଚାରିମାସ ବିତିଲାଣୀ। ହେଲେ ଆଜିବି ସେଦିନର କଥା ମନେପଡି଼ଲେ ଲୋମ ଟାଙ୍କୁରି ଉଠେ

ବାହାନଗା ଟ୍ରେନ ଦୁର୍ଘଟଣାକୁ ଚାରିମାସ ବିତିଲାଣୀ। ହେଲେ ଆଜିବି ସେଦିନର କଥା ମନେପଡି଼ଲେ ଲୋମ ଟାଙ୍କୁରି ଉଠେ । ସେଦିନର ସେହି କାଳ ରାତି କଥାକୁ ଆଜିବି ଭୁଲି ନାହାଁନ୍ତି ଲୋକେ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ। ତେବେ, ଦୁର୍ଘଟଣା ପରେ ମୃତଦେହ ଗୁଡିକୁ ଚିହ୍ନଟ ପାଇଁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା। ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ପରିବାର ଲୋକେ ମୃତକଙ୍କୁ ଘରକୁ ନେଇ ଶବଦାହ କରିଥିଲେ। ହେଲେ ଏମ୍ସରେ ଏପର୍ଯ୍ୟନ୍ତ ୨୮ ମୃତଦେହକୁ ଚିହ୍ନଟ କରାଯାଇ ନାହିଁ। ଗତ ୧୦ ଦିନ ହେବ, ମୃତଦେହ ଚିହ୍ନଟ ପାଇଁ କେହିବି ଆସି ନ ଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ। ତେବେ, ରାଜ୍ୟ , କେନ୍ଦ୍ର ଓ ରେଳ ମନ୍ତ୍ରଣାଳୟର ନିଷ୍ପତି ପରେ ଏହି ଅଜଣା ମୃତଦେହ ଗୁ଼ଡିକୁ ସତ୍କାର କରାଯିବ ବୋଲି ଜଣାପଡି଼ଛି।
ସୂଚନା ଅନୁସାରେ, ଗତ ଜୁନ୍ ମାସ ୨ ତାରିଖ ସଂନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ ଏକ ମାଲ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ୨ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ପରେ ସେହି ରୁଟ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।
ତେବେ ରେଳ ମନ୍ତ୍ରଣାଳୟ ସୁପାରିସ ଆଧାରରେ ଜୁନ୍ ୬ ତାରିଖରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର ଜିଆରପିଠାରୁ ମାମଲାକୁ ନେଇଥିଲା ସିବିଆଇ ଦିଲ୍ଲୀ ମୁଖ୍ୟ ଶାଖା। ରେଳ ସୁରକ୍ଷା କମିଶନର ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ରିପୋର୍ଟରୁ ଦୋଷ ତ୍ରୁଟି ଜଣାପଡ଼ିବା ପରେ ଜୁଲାଇ ୭ ତାରିଖରେ ସିବିଆଇ ୩ ଜଣଙ୍କୁ ଗିରଫ କରି ରିମାଣ୍ତରେ ନେଇଥିଲା ।