ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ମୃତ
କ୍ଷତିପୂରଣ ଦାବିରେ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ

ପାରାଦୀପ: ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଓ ବେପରୁଆ ମନୋଭାବ ଯୋଗୁ ଚାଲିଯାଇଛି ଏକ ନିରୀହ ଜୀବନ।
ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ। ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ପଞ୍ଚାୟତର ବରେଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବରେଇ ଗ୍ରାମର କଣ୍ଡୁରୀ ରାଉତ (୬୦ ବର୍ଷ)। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଥିଲେ।
ସୂଚନାନୁଯାୟୀ, କଣ୍ଡୁରୀ ଗୁରୁବାର ଦିନ ୧୨ଟାରେ ନିଜ ବିଲକୁ ବୁଲିବାକୁ ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ତାର ତାଙ୍କ ଦେହରେ ଛିଣ୍ଡି ପଡିଥିଲା। ଫଳରେ ବିଦ୍ୟୁତ ପ୍ରବାହରେ କଣ୍ଡୁରୀ ଙ୍କ ପେଟ ସମେତ ଦେହ ଜଳି ଯାଇଥିଲା। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଟାଟା ପାୱାର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ବି ତାଙ୍କୁ ଗାଁ ଲୋକ ଘେରି ଯାଇ ଅଟକ ରଖିଥିଲେ।
ତେବେ ପୂର୍ବରୁ ସେହି ସ୍ଥାନରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ଏକ ଟ୍ରାକ୍ଟର ମଧ୍ୟ ବିଦ୍ୟୁତ ଆଘାତରେ ଜଳି ଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବାରମ୍ବାର ଟାଟା ପାୱାରକୁ ଏନେଇ ଅଭିଯୋଗ କରିବା ପରେ ବି ବିପଦଶଙ୍କୁଳ ବିଦ୍ୟୁତ ଖୁଣ୍ଟର ମରାମତି ହେଉ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି। ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚିଥିବା ବେଳେ ମୃତଦେହ ସେହି ସ୍ଥାନରେ ପଡି ରହିଛି। ଯେଉଁଥି ପାଇଁ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ କଣ୍ଡୁରୀ ଙ୍କ ନୀରିହ ଜୀବନ ଯାଇଛି ସେଥିପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି। କିନ୍ତୁ ଦୀର୍ଘ ସମୟ ଧରି କେହି କିଛି ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଯେପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ନ ମିଳିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରଖିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ତେବେ ବିଲ ମଧ୍ୟରେ ଅତି ବିପଦଜନକ ଭାବରେ ତାର ଗୁଡିକ ଯାଇଥିବା କାରଣରୁ ଏହିଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ବିଭାଗର ଅବହେଳାରୁ ନିରୀହ ଜୀବନ ଚାଲିଯାଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି।