ମାଟିର ପୁଅ ମାଟିରେ ମିଶିଗଲେ
ସହିଦ ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୈତୃକ ଗାଁ ସତ୍ୟାବାଦୀ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

ପୁରୀ/ଭୁବନେଶ୍ଵର: ସହିଦ ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୈତୃକ ଗାଁ ସତ୍ୟାବାଦୀ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦେବାଶିଷଙ୍କ ସାନ ଭାଇ ଦେବପ୍ରସାଦ ମୁଖାଗ୍ନି ଦେଇଛନ୍ତି । ଏହା ପୂର୍ବରୁ ସହିଦଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସମେତ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଗାଁରେ ଦେବାଶିଷଙ୍କ ମର ଶରୀର ପହଞ୍ଚିବା ବେଳକୁ ହଜାର ହଜାର ଲୋକ ସେଠାରେ ତାଙ୍କର ଶେଷ ଦର୍ଶନ କରିଥିଲେ।
ହଜାର ହଜାର ଜନତା। ମଝିରେ ଆସୁଛି ରଥ। ସହିଦଙ୍କ ରଥ। ଚାରିପଟେ ଘେରି ରହିଥିଲେ ହଜାର ହଜାର ଜନତା। ସହିଦ ଦେବାଶିଷ ଅମର ରହେ, ଭାରତ ମାତା କି ଜୟ। ଏମିତି ନାରାରେ କମ୍ପୁଛି ସଦ୍ୟବାଦୀର ଅଳଗୁମ । ଯିଏ ଯେଉଁଠି ଥିଲା ସବୁ କାମ ଛାଡ଼ି ଦଉଡ଼ି ଆସିଛି। କିଏ ହାତରେ ଝଣ୍ଡା ଧରି ଆସିଛି। କିଏ ଦେବାଶିଷଙ୍କ ଉଦ୍ଦେଶ୍ୟରେ ତିଆରି କରି ଆଣିଛି ବ୍ୟାନର ଖଣ୍ଡେ। ଆଉ କିଏ ଫୁଲ ଧରି ଆସିଛି। କିଏ ଖୋଳ ଝାଞ୍ଜ ଧରି କିର୍ତ୍ତନ କରୁଛି। କି ବୃଦ୍ଧ କି ବାଳୁତ କି ହିନ୍ଦୁ କି ମୁସଲିମ ସମସ୍ତେ ଯେମିତି ଏହି ଦାଣ୍ଡରେ ଏକ ହୋଇଯାଇଛନ୍ତି । ଲୁହ ଗଡ଼ାଇ ସହିଦଙ୍କୁ ବିଦାୟ ଦେଉଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଦେବାଶିଷ ତୁମ ପାଇଁ ଆମ ଗାଁ, ଆମ ଅଞ୍ଚଳ ଗର୍ବିତ । ତୁମକୁ ଶେଷ ଦର୍ଶନ କରି ଆମେ ଧନ୍ୟ ହେଇଗଲୁ। ଏ ମାଟି ତୁମ ପାଇଁ ପବିତ୍ର ହୋଇଗଲା।
ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଲାନସ ନାୟକ ଦେବାଶିଷ ବିଶ୍ବାଳଙ୍କ ମର ଶରୀର ଆଜି ସକାଳ ୭ଟା ୨୦ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରେ ସହିଦଙ୍କ ପତ୍ନୀ ସୁଶ୍ରୀ ସଂଗୀତ ବିଶ୍ବାଳ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ବରରେ ସହିଦଙ୍କ ଶେଷ ଦର୍ଶନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ସେନା ଓ ପୋଲିସର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନ ବନ୍ଦରରେ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର।
ଭୁବନେଶ୍ବରରୁ ସତ୍ୟବାଦୀ ଅଭିମୁଖେ ଗଡ଼ିଥିଲା ସହିଦଙ୍କ ରଥ। ଦେବାଶିଷଙ୍କ ଉପରେ ନିଜର ମୁଣ୍ଡ ରଖି ସେମିତି ନିଶ୍ଚଳ ନିର୍ବାକ ହୋଇ ବସି ରହିଥିଲେ ପତ୍ନୀ। ଆଉ ବାଟରେ ଶହଶହ ଜନତା ଠିଆ ହୋଇଥିଲେ। ସହିଦଙ୍କ ଅନ୍ତିମ ଦର୍ଶନ କରିବା ଲାଗି ସେହି ରଥକୁ ଟିକେ ଛୁଇଁ ଦେବା ଲାଗି କେମିତି ବ୍ୟାକୁଳ ହେଉଛନ୍ତି ଜନତା। ସାକ୍ଷୀ ଗୋପାଳରୁ ଗାଁ ଘର ଯାଏଁ ୧୦ କିଲୋମିଟର ରାସ୍ତା ପାଲଟିଥିଲା ଲୋକାରଣ୍ୟ। ବିଶାଳ ପଟୁଆର ସାଙ୍ଗକୁ ଦେବାଶିଷ ଅମର ରହେ, ଭାରତ ମାତାକି ଜୟ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ବୀର ବାଦ୍ୟ ସହ, ବାଡ଼ି ଖେଳ, ଖଣ୍ଡା ଖେଳ ପ୍ରଦର୍ଶନ କରି ମରଶରୀରକୁ ପାଛୋଟି ନେଇଥିଲେ ପ୍ରିୟଜନ।
ଗାଁର ଶ୍ମଶାନରେ ଦିଆଯାଇଥିଲା ଗାର୍ଡ ଅଫ ଅନର। ସେହିଠାରେ ଦେବାଶିଷଙ୍କ ଭାଇ ଦେବ ପ୍ରସାଦ ମୁଖାଗ୍ନି ଦେଇଥିଲେ। ଭାଇ ସାହିତ୍ୟକୁ ବିଦାୟ ଦେଇଥିଲେ ସାନ ଭାଇ ବିଜ୍ଞାନ। ମାତ୍ର କିଛି ମିନିଟରେ ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ସହିଦ। ସବୁ କିଛି ଅତୀତ ହୋଇଯାଇଥିଲା।