ଶାବକଙ୍କୁ ଜନ୍ମ ଦେଲା ଚିତା ଗାମିନୀ

: କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର । ଏଠାରେ ମାଈ ଚିତା ଗାମିନୀ ୫ଟି ଶାବକକୁ ଜନ୍ମ ଦେଇଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ସୂଚନା ଦେବା ସହ ଶାବକମାନଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ମାଈ ଚିତା ନିଜ ଛୁଆମାନଙ୍କୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ଗତ ଜାନୁଆରି ମାସରେ ବି କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଚିତା ଶାବକ ଜନ୍ମ ହୋଇଥିଲେ । ନାମିବ୍ୟାରୁ ଅଣାଯାଇଥିବା ଆଶା ନାମକ ଏକ ଚିତା ଏହି ତିନୋଟି ଛୁଆକୁ ଜନ୍ମ ଦେଇଥିଲା । ସେତେବେଳେ ମଧ୍ୟ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏକ୍ସରେ ଥିବା ତିନୋଟି ଛୁଆର ଏକ ଭିଡିଓ ଏବଂ ଫଟୋ ସେୟାର କରି ଏହାକୁ ‘ପ୍ରୋଜେକ୍ଟ ଚିତା’ର ଜବରଦସ୍ତ ସଫଳତା ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ପ୍ରୋଜେକ୍ଟ ଚିତା ଅଧୀନରେ ୨୦୨୨ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଏବଂ ୨୦୨୩ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୦ ଜଣ ଚିତାଙ୍କ ମୃତ୍ୟୁ ଘଟିଛି। ଶେଷ ଥର ପାଇଁ ଗତ ଜାନୁଆରି ମାସରେ ଶୌର୍ଯ୍ୟ ନାମକ ଚିତାର ମୃତ୍ୟୁ ହୋଇଥିଲା ।