ବିରୋଧୀଙ୍କ ଏକତାର ପରିଚୟ ଦେବ ଅନାସ୍ଥା ପ୍ରସ୍ତାବ– ପ୍ରଧାନମନ୍ତ୍ରୀ
ଅନାସ୍ଥା ପ୍ରସ୍ତାବ ଆମର ନୁହେଁ ବରଂ ବିରୋଧୀଙ୍କ ଏକତା କେତେ ତାର ପରିଚୟ ଦେବ – ପ୍ରଧାନମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଏହି ପ୍ରସ୍ତାବ ଉପରେ ନିଜ ମତ ରଖି ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଅନାସ୍ଥା ବିତର୍କରେ ସେ ବିରୋଧୀମାନଙ୍କ ଅଭିଯୋଗର ଜବାବ ରଖିଛନ୍ତି।
“ଭାରତର ଜନସାଧାରଣ ବାରମ୍ବାର ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି। ଏଥିପାଇଁ ଦେଶର ଲୋକଙ୍କ ପ୍ରତି ମୁଁ କୃତଜ୍ଞ। ବିରୋଧୀ ଦଳ ଯେତେବେଳେ ବି ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତାହା ଆମ ସରକାର ପାଇଁ ଶୁଭ ହୋଇଥାଏ। ବିରୋଧୀମାନେ ସବୁବେଳେ ଦେଶ ସ୍ଵାର୍ଥ ଅପେକ୍ଷା ଦଳୀୟ ସ୍ଵାର୍ଥକୁ ଗୁରୁତ୍ଵ ଦେଇଆସିଛନ୍ତି। ଏଥର ମଧ୍ୟ ନିଜ ସ୍ଵାର୍ଥ ପାଇଁ ସେମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି”, କହିଛନ୍ତି ନରେନ୍ଦ୍ର ମୋଦୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଅନାସ୍ଥା ପ୍ରସ୍ତାବ ଗୃହରେ ଆମର ପରୀକ୍ଷା କରିବ ନାହିଁ ବରଂ ଏହା ବିରୋଧୀଙ୍କର ଏକତାର ପରୀକ୍ଷା କରିବ। ପୂର୍ବରୁ ଯେତେଥର ଅନାସ୍ଥା ପ୍ରସ୍ତାବ ଆସିଛି ସେତେବେଳେ ବିରୋଧୀଙ୍କ ପାଖରେ ଯେତିକି ଭୋଟ୍ ଥିଲା, ସେତିକି ବି ସେମାନେ ଜମା କରିପାରିନଥିଲେ। ଅନାସ୍ଥା ପ୍ରସ୍ତାବ ସବୁବେଳେ ଏନଡିଏକୁ ମଜବୁତ କରିଛି।
ଲୋକସଭାରେ ପ୍ରଧାନମନ୍ତ୍ରୀ ନିଜ ପ୍ରତି ହୋଇଥିବା କଟାକ୍ଷଗୁଡ଼ିକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀମାନେ ଦେଶର ଛବିକୁ ଖରାପ କରୁଥିବା ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଅଭିଯୋଗ କରିଛନ୍ତି।
ଗୁରୁବାର ଏହି ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଭୋଟିଂ କରାଯିବ। ୫୪୫ ଆସନ ବିଶିଷ୍ଟ ଲୋକସଭାରେ ସଂଖ୍ୟାବଳ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ୩୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବାବେଳେ ଇ-ଣ୍ଡି-ଆ ମେଣ୍ଟ ପାଖରେ ପ୍ରାୟ ୧୫୦ ସାଂସଦଙ୍କ ସମର୍ଥନ ରହିଛି l