ଅଡୁଆ ସୁତାରେ ଛନ୍ଦି ଯାଇଛି ବିଜେଡି-ବିଜେପି ମେଣ୍ଟ ଅଙ୍କକଷା

ବିଜେଡି-ବିଜେପି ମେଂଟ ସସପେନ୍ସ । ଦିନ ଯେତେ ଗଡୁଛି, ଦ୍ୱନ୍ଦ୍ୱ ସେତେ ବଢୁଛି । ମେଂଟ ଅଙ୍କକଷା ଅଡୁଆ ସୁତାରେ ଛନ୍ଦି ହୋଇଥିବା ବେଳେ ଚାଲିଛି ଲାଭ କ୍ଷତିର ହିସାବ । ମେଂଟ ହେଲେ ବିଜେପି କେତେ ପାଇବ କେତେ ହରାଇବ ? ଓଡିଶାରେ ପଦ୍ମ ଅଧିକ ଫୁଟିବ ନା ମେଣ୍ଟ ମାଡରେ ଝାଉଁଳି ପଡିବ ? ପଶ୍ଚିମ ପରେ ଉପକୂଳ ଓଡିଶାରେ ବି ଲାଗିବ ଗେରୁଆ ରଙ୍ଗ ?
ବିଜେଡି-ବିଜେପି ମେଣ୍ଟ ହେଲେ ବଦଳିବ ରାଜ୍ୟ ରାଜନୀତି ପାଣିପାଗ । ପ୍ରଶ୍ନ ଉଠୁଛି, କାହିଁକି ବିଜେପିର ଆବଶ୍ୟକ ବିଜେଡି ? ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରା ରହିଛି, ଅବ୍ କି ବାର୍ ୪ଶୋ ପାର୍ । ନାରା ପଛର ରଣନୀତିକୁ ବୁଝନ୍ତୁ । ବଡ ସଂଖ୍ୟାରେ କ୍ଷମତାର ହ୍ୟାଟ୍ରିକ ଲଗାଇଲେ ବଡ ନିଷ୍ପତି ନେଇପାରିବେ ସରକାର । ଆଉ ସ୍ଲୋଗାନକୁ ସତ କରିବାକୁ ହେଲେ ଏନଡିଏକୁ ଆହୁରି ଶକ୍ତିଶାଳୀ କରିବାକୁ ପଡିବ । ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସାଙ୍ଗରେ ନେବା ପରେ ବିଜେଡିକୁ ବି ଏନଡିଏରେ ମିଶାଇବାକୁ ରହିଛି ପ୍ଲାନ୍ ।
୨୦୧୯ରେ ୩୫୩ ଆସନ ଜିତିଥିବା ଏନଡିଏକୁ ୪ଶହ ଛୁଇଁବାକୁ ଦରକାର ଆହୁରି ୪୭ ଆସନ। ଓଡିଶାରେ ମେଣ୍ଟ ହେଲେ ରାଜ୍ୟର ମୋଟ୍ ୨୧ ଆସନ ଜିତିବା ସମ୍ଭାବନା ଉଜ୍ୱଳ। ଓଡିଶାରେ କ୍ଷମତାକୁ ଆସିଲେ ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବାକୁ ଦାବି କରୁଛି ବିଜେପି। ହେଲେ କେଉଁଠି ନା କେଉଁଠି ରାଜ୍ୟ ନେତୃତ୍ୱ ଉପରେ କନଫିଡେନ୍ସ ଦେଖାଇ ପାରୁନି କେନ୍ଦ୍ର ବିଜେପି। ସେଥିପାଇଁ ସଫଳତାର ସବୁଠୁ ସହଜ ବାଟ ବିଜେଡି ସହ ମେଣ୍ଟ । ୨୪ ବର୍ଷ ହେଲା କ୍ଷମତାରେ ଥିବା ନବୀନଙ୍କ ବିଜେଡି ସହ ବନ୍ଧୁ ବାନ୍ଧିଲେ ଡବଲ୍ ଇଂଜିନ ସରକାର ସହଜ ହେବ। ମୋଦି ସରକାରଙ୍କ ବଡ ଟାର୍ଗେଟ୍ ପାଞ୍ଚ ଟ୍ରିଲିୟନ ଅର୍ଥନୀତି । ଏହି ସ୍ୱପ୍ନ ପୂରଣ ପାଇଁ ଓଡିଶାର ପ୍ରାକୃତିକ ସଂପଦ ଓ ଦୀର୍ଘ ଉପକୂଳ ବେଶ୍ ସହାୟକ ହେବ । ଓଡିଶାକୁ ବିକାଶର ପ୍ରବେଶ ଦ୍ୱାର କରି ପୂର୍ବୋଦୟ ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ବିଜେପି ।