ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ
ଶ୍ରୀଜିଉଙ୍କ ଦକ୍ଷିଣାଭିମୁଖୀ ଯାତ୍ରା, ଦୁର୍ଲଭ ଦର୍ଶନରୁ ମିଳେ ଅଶ୍ୱମେଧ ଯଜ୍ଞ ଫଳ

ଜନ୍ମବେଦିର ଲୀଳା ସାରି ଆଜି ରତ୍ନ ବେଦୀକୁ ଫେରିବେ ଶ୍ରୀଜିଉ । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଏହା ତୃତୀୟ ଅଙ୍ଗ । ପ୍ରଥମ ଅଙ୍ଗ ରଥଯାତ୍ରା ଓ ୨ୟ ଗୁଣ୍ଡିଚା ମଣ୍ଡପରେ ବାସ । ଶାସ୍ତ୍ର କୁହେ ରଥଯାତ୍ରା ସମୟରେ ପ୍ରଭୁ ଉତ୍ତରାଭିମୁଖୀ ଯାତ୍ରା କରନ୍ତି ।
ବାହଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା । ଉଭୟ ଦର୍ଶନରେ ଭକ୍ତଙ୍କୁ ସମାନ ପୂଣ୍ୟ ମିଳେ । ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ । ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଠାକୁରଙ୍କ ବଡସିଂହାର, ପହୁଡ଼ ଆଳତି ସରି ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକ ମାନେ ଗମ୍ଭୀରାରୁ ବାହାରି ଆସନ୍ତି । ଏହା ପରେ ଦଇତାପତି ଠାକୁରଙ୍କ ଅନ୍ୟାନ୍ୟ ଗୁପ୍ତ ସେବା କରନ୍ତି । କୋଠ ସୁଆଁସିଆ ସିଂହାସନକୁ ଲଗାଇ ଚାରମାଳ ବାନ୍ଧନ୍ତି । ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରଙ୍କୁ ଲାଗି କରାନ୍ତି ।
ବାହୁଡ଼ା ଯାତ୍ରା ଦିନ ସକାଳେ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ଆଦି ନୀତି ବଢ଼ି ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜା ସମ୍ପନ୍ନ ହୁଏ । ଏହା ପରେ ଦଇତାପତି ମାନେ ଶ୍ରୀବିଗ୍ରହଙ୍କ ସେନା ପଟା ଲାଗି କରନ୍ତି । ଶେଷରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ଏହାପରେ ଡୋର ଲାଗି ସାରି ବିଜେ କାହାଳୀ ବାଜି ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୁଏ । ଜଗମୋହନ ଦୁଆରେ ଶ୍ରୀବିଗ୍ରହ ବିଜେ ହେଲେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯାଏ । ପତିମହାପାତ୍ର ପ୍ରସାଦ ବନ୍ଦାପନା, କର୍ପୁର ଆଳତୀ, ସାତବତୀ, ସଞ୍ଜ କାହାଳୀ ଓ ଘସା, ବିଡିଆ ମଣୋହି କରନ୍ତି । ଏହି ସମୟରେ ପୁଷ୍ପାଳକ ମହାଜନ ତୁଳି ଲାଗି ବଢାନ୍ତି । ଏହାପରେ ଦାରୁଦିଅଁ ଧାଡ଼ି ପହଣ୍ଡିରେ ନିଜ ନିଜ ରଥରେ ବିଜେ ହୋଇଥାନ୍ତି । ଠାକୁରେ ରଥାରୂଢ଼ ହେବା ପରେ ରୁନ୍ଧା କାର୍ଯ୍ୟ ବଢ଼େ । ପରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀମଦନମୋହନ ନନ୍ଦିଘୋଷ ରଥରେ ଓ ଶ୍ରୀରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ ହୁଅନ୍ତି । ଠାକୁରେ ରଥାରୂଢ଼ ପୂର୍ବରୁ ବିଶ୍ୱକର୍ମା, ଦର୍ଜୀ, କୋଠ ସୁଆଁସିଆ ଆଦି ସେବକ ତିନି ରଥ ପ୍ରସ୍ତୁତ କରି ରଖିଥାନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଟୁଆର ଯିବାରେ ଶ୍ରୀନଅରରୁ ତାମ୍ର ଯାନ, କାହାଳିଆ ଆଦି ବଡ଼ଶଙ୍ଖ ଠାରେ ପହଞ୍ଚନ୍ତି । ଶ୍ରୀନଅରରୁ ଶ୍ରୀମନ୍ଦିର କାର୍ ଯୋଗେ ଗଜପତି ମହାରାଜା ସେଠାରେ ପହଞ୍ଚନ୍ତି । ବଡ଼ଶଙ୍ଖଠାରୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗଜପତି ତାମ୍ର ଯାନରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚନ୍ତି । ତିନି ରଥରେ ଛେରା ପହଁରା କରନ୍ତି ଗଜପତି ମହାରାଜା । ଏହାପରେ ଭୋଇ ସେବକମାନେ ରଥରୁ ଚାରମାଳ ଫିଟାଇବା ସହ ରୂପକାର ସେବକ ରଥରେ ଘୋଡ଼ା ବାନ୍ଧନ୍ତି । ବିଶ୍ୱକର୍ମା ଓ ଭୋଇ ସେବକ ରଥରେ ଦଉଡ଼ି ଲଗାନ୍ତି । ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୁଏ । ମାଉସୀ ମା' ମନ୍ଦିର ସମ୍ମୁଖରେ ରଥାରୂଢ଼ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗେ । ତାଳଧ୍ୱଜ ଓ ଦେବଦଳନ ରଥ ଟଣା ହୋଇ ସିଂହଦ୍ୱାରେ ପହଞ୍ଚିଯାଏ । ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିଲେ ଲକ୍ଷ୍ମୀ- ନାରାୟଣ ଭେଟ ହୁଏ ।
ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାର ଲାଗିସହ ବେଶ କରାଇ ସାତ ପାହାଚ ଦ୍ୱାର ଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କି ଚାହାଣୀ ମଣ୍ଡପକୁ ନେବେ । ଚାହାଣି ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇ ପ୍ରଭୁଙ୍କ ଅବସ୍ଥିତି ଅନୁଧ୍ୟାନ କରିବା ପରେ ନନ୍ଦିଘୋଷ ରଥରେ ବିରାଜମାନ ଶ୍ରୀଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି । ଏହି ସମୟକୁ ସେଠାରେ ଗଜପତି ମହାରାଜା ଉପସ୍ଥିତ ଥାନ୍ତି । ଦହି ପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଶ୍ରୀ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି । ଦେବୀ ନନ୍ଦିଘୋଷ ପ୍ରଦକ୍ଷିଣ କରି ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡି ଯାନ୍ତି । ସଙ୍ଗେ ସଙ୍ଗେ ଶ୍ରୀନଅର ଠାରୁ ନନ୍ଦେିଘାଷ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଯାଏ ।
ବଡ଼ଦାଣ୍ଡ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ
*=========================*