ମିଳିଲା ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ
ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି।

ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଶୁକ୍ରବାର ଆଇନ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଉକ୍ତ ଫାଇଲ ଏକ ସାଧାରଣ ଫାଇଲ। ଏହା ନ ମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନ ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ଦୁଇଟି ଫାଇଲ ନ ମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ସରକାରଙ୍କ ନଜରକୁ ଆସିଛି।
ଏ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ, ଏହି ଦୁଇଟି ଫାଇଲ ବହୁ ପୁରାତନ ହୋଇଥିବାରୁ ଏବଂ ପୁରୁଣା ଫାଇଲରେ ମିଶିବା ଯୋଗୁ ଏହାକୁ ଖୋଜିବା କଷ୍ଟକର ଥିଲା। ଉଭୟ ଫାଇଲକୁ ଖୋଜିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ଧନେଶ୍ୱର ମଲ୍ଲିକ ଭିଡିଓ ବାର୍ତ୍ତା ଜରିଆରେ ହଜିଯାଇଥିବା ୨ଟି ପୁରୁଣା ଫାଇଲ ମିଳିଥିବା ସୂଚନା ଦେଇଛନ୍ତି।