ରାଜ୍ୟ ଓଡ଼ିଶା, ଭାଷା ଓଡ଼ିଆ କିନ୍ତୁ ଶାସନ ଚାଲିଛି ତାମିଲର : ଅପରାଜିତା ଷଡଙ୍ଗୀ

ରାଜ୍ୟ ଓଡ଼ିଶା, ଭାଷା ଓଡ଼ିଆ  କିନ୍ତୁ ଶାସନ ଚାଲିଛି ତାମିଲର  : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର, : ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ସଂସଦୀୟ କ୍ଷେତ୍ରରେ ବୁଲିଲା ବେଳେ ଜନସାଧାରଣଙ୍କ ଗୋଟିଏ ପ୍ରଶ୍ନ ଯେ, ଓଡ଼ିଶାରେ ଆମେ ବାଛିଥିବା ଏବଂ ଆମ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସନ କରୁଛନ୍ତି ନା ଏହା ନିର୍ଦ୍ଧିଷ୍ଟ ସରକାରୀ ବାବୁମାନଙ୍କ ଚଞ୍ଚକତାର ଶିକାର ହୋଇ ସାରିଛି ? ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟ ନେଇ ସେ କୌଣସି ଆଲୋଚନା ବା ମନ୍ତବ୍ୟ ପ୍ରଦାନ କରିନଥିଲେ ବୋଲି କହିଛନ୍ତି । କାରଣ ଜଣେ ନିର୍ଦ୍ଧିଷ୍ଟ ସରକାରୀ କର୍ମଚାରୀଙ୍କ ବିଷୟରେ ସେ ଲୋକ ପ୍ରତିନିଧି ଭାବେ ଉଲ୍ଲେଖ କରିବା ଉଚିତ ମନେ କରୁନଥିଲେ । କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଧିଷ୍ଟ ସମସ୍ୟା ରାଜ୍ୟରେ ଏତେ ବ୍ୟାପକ ଭାବେ କାୟା ବିସ୍ତାର କରିଛି ଯେ, ରାଜ୍ୟ ବାହାରେ ମଧ୍ୟ ଏହାର ଆଲୋଚନା ଆରମ୍ଭ ହେଲାଣି ଏବଂ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟରେ ପରିଣତ ହେଲାଣି । ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରଘାତ ବୋଲି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛେ ଭାରତରେ ସମ୍ବିଧାନ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ଏବଂ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି । ସାମାଜିକ ଏବଂ ଅର୍ଥନୈତିକ ବିକାଶ ସୁନିଶ୍ଚିତ କରିବା ଆଇନ ଶୃଙ୍ଖଳା ପରି ବିଭିନ୍ନ ବିଷୟକୁ ପରିଚାଳନା କରିବା ନିର୍ବାଚିତ ପ୍ରତିନିଧିମାନଙ୍କର ଦାଇତ୍ୱ ଅଟେ । 

କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି। ହାଇଜାକ୍ ହୋଇଛି ଓଡ଼ିଶାର ଶାସନ ବ୍ୟବସ୍ଥା । ସଚିବସ୍ତରର ୩ ଅଧିକାରୀ କରିଛନ୍ତି ହାଇଜାକ୍ । 5T ସଚିବ ଭି.କେ. ପାଣ୍ଡିଆନ ଓ ଅନ୍ୟ ୨ ଅଧିକାରୀ ଙ୍କ ନାଁ ନ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ।ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି।

ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାନ୍ତି। ସଚିବସ୍ତରର ଅଧିକାରୀ ଉଡାଜାହଜରେ ବୁଲୁଛନ୍ତି, ସବୁଠି ପ୍ରାୟୋଜିତ ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି। ସାଧାରଣ ସଭାରେ ସରକାରୀ ପ୍ରକଳ୍ପ ଘୋଷଣା କରୁଛନ୍ତି । ଯାହାକି ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି କହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସାଂସଦ।

ସେହିପରି ସାଧାରଣ ସଭା ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀମାନେ ପହଞ୍ଚି ସମସ୍ତ ଆୟୋଜନ କରୁଛନ୍ତି ହେଲେ ମଞ୍ଚ ଉପରେ ସେମାନଙ୍କୁ ଦେଖିବାକୁ ମିଳୁନି। ଏମିତି କରିବାକୁ ମୁଖ୍ୟମନ୍ତ୍ରୀଙ୍କର କୌଣସି ନିର୍ଦ୍ଦେଶ ଅଛି କି ବୋଲି ପଚାରିଛନ୍ତି ଅପରାଜିତା। ଏହାସହ ମଞ୍ଚରେ ମନ୍ତ୍ରୀ, ବିଧାୟକ ନରହି ଅଧିକାରୀ ରହୁଥିବାରୁ ଅର୍ଡର ଅଫ ପ୍ରିନ୍ସିଡେନ୍ସର ଏହା ଅବମାନନା ବୋଲି ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ବିଧାୟକମାନଙ୍କୁ ବାଧ୍ୟ କରି ଦାସତ୍ୱ ସ୍ୱୀକାର କରିବାକୁ କୁହାଯାଉଛି ।

ଯଦି ରାଜନୀତି କରିବାର ଇଛା ଅଛି ଚାକିରି ଛାଡି ମୈଦାନକୁ ଓହ୍ଲାନ୍ତୁ ବୋଲି ଅପରାଜିତା ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିସ୍ଫୋରକ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା। କେମିତି ଜଣେ ଅଫିସର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି ? କାହା ଅନୁମତିରେ ବୁଲୁଛନ୍ତି ? ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁମତି ଦେଇଛନ୍ତି କି ନାହିଁ ? ଏ ନେଇ ଅପରାଜିତା ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ଦକ୍ଷିଣ-ଭାରତୀୟ ଅଫିସରଙ୍କ ଦବଦବା ରହୁଛି ? ଦକ୍ଷିଣ-ଭାରତୀୟ କମ୍ପାନୀଗୁଡିକୁ ଓଡିଶାରେ କାହିଁକି ଅଧିକ କାମ ମିଳୁଛି ? ଏ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି।