ଶେଷ ପର୍ଯାୟରେ ରଥ କାର୍ଯ୍ୟ, ତିନି ରଥରେ ପାର୍ଶ୍ୱ ଦେବାଦେବୀ ସଂଯୋଗ
ରଥଯାତ୍ରା ପାଇଁ ଶେଷ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି ।

ରଥଯାତ୍ରା ପାଇଁ ଶେଷ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି । ଆଜି ତିନିରଥର ମୋଟ ୧୯୯ ଜଣ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହ ତିନିରଥର ୩୪ ଜଣ ଚିତ୍ରକାର ସେବକ ଏବଂ ତିନିରଥର ୧୭ ଜଣ ଦରଜି ସେବକ ନିର୍ମାଣ କାର୍ଯ୍ୟରେ ସାମିଲ ଅଛନ୍ତି ।
ତିନି ରଥର କଳଶ, ଦଧିନଉତି ଓ ହଂସ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଥିବାରୁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଆଜି ମହାରଣା ସେବକ ଏବଂ ଭୋଇ ସେବକ ମାନେ ରଥ ସମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱ ରେ ଲାଗିଥିବା ତିନୋଟି ଲେଖାଁଏ ୯ ଟି ଜଳଯନ୍ତ୍ର ରେ ପାର୍ଶ୍ୱ ଦେବ- ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି ସେଥିରେ କଣ୍ଟାବାଡେଇ ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି । ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶ ରେ ହଂସ ପଟା ବାଡ଼ିଆ ଶେଷ ହୋଇଛି । ଆସନ୍ତାକାଲି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ ।
ଆଜି ଦରଜି ସେବକ ମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି । କୋଠ ସୁଆଁସିଆ ସେବକ ମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି, ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ା ରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ । ଆଜି ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନିରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି । ସେହିପରି ତିନିରଥର ତିନି ସାରଥୀ ଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ । ଅନ୍ୟପଟେ ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି ।ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ବ୍ରେକ ଜାମିନି କଣ୍ଟା, ୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଗା ବାଗୁଆ କଣ୍ଟା ଯୋଗାଇଛନ୍ତି । ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି । ତିନିରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନିର୍ମାଣକାରୀ ସେବକ ମାନଙ୍କ ଉତ୍ସ ।ହ ଉଦିପନା କୁ ବଢ଼ାଇ ଦେଇଛନ୍ତି ପ୍ରତି ବିଭାଗର ମୁଖ୍ୟ ନିର୍ମାଣକାରୀ ସେବକ ମାନେ । ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି । ଆଉମାତ୍ର ମଝିରେ ଗୋଟିଏ ଦିନ, ଆଉ କେତେ ଘଣ୍ଟା ସିଂହଦ୍ୱାରେ ପହଞ୍ଚିବ ତିନିରଥ ।