ଅଭାବନୀୟ : କୁଜଙ୍ଗରେ ଚାଞ୍ଚଲ୍ୟକର ଡବଲ୍ ମର୍ଡର,
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ, ଲିଭିଗଲା ଦୁଇ ମହିଳାଙ୍କ ଜୀବନଦୀପ, ଔଦ୍ଧତ୍ୟ ନିଶାସକ୍ତ ଯୁବକ ଥାନାରେ ଅଟକ।

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଚାଞ୍ଚଲ୍ୟ। ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
କଣ ପାଇଁ ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣି ପକାଇଲେ ନିଶାସକ୍ତ ଯୁବକ। ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ, ତେବେ ଆକ୍ରମଣକାରୀ ଯୁବକକୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଏକ୍ସପ୍ରେସ କଲୋନିରେ ଚିଣ୍ଟୁଆ ନାଥ(୩୫) ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ(୪୨) ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନୀତାଙ୍କ ଚିତ୍କାର ଶୁଣି ନିର୍ମଳା ଲେଙ୍କା (୫୪) ଘର ବାହାରକୁ ଆସିଥିଲେ। ତାଙ୍କୁ ମଧ୍ୟ ଚିଣ୍ଟୁଆ ଆକ୍ରମଣ କରିଥିଲା।
ତତକ୍ଷଣାତ୍ ନିର୍ମଳାଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ଚିଣ୍ଟୁଆ ନାଥ ନିର୍ମଳାଙ୍କ ପୁଅ ଓ ଅନ୍ୟ ଦୁଇଜଣଙ୍କୁ ବି ଆକ୍ରମଣ କରିଥିଲା। ସେମାନଙ୍କୁ ମଧ୍ୟ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉନ୍ମତ୍ତ ହତ୍ୟାକାରୀ ଯୁବକ ଚିଣ୍ଟୁଆ ନାଥକୁ ଧରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହାଛଡ଼ା ଆକ୍ରମଣରେ ବ୍ୟବହୃତ କଟୁରିକୁ ବି ଜବତ କରିଛି ପୁଲିସ। ତେଣେ ଦୁଇ ମୃତକଙ୍କ ଶବ ବ୍ୟବଚ୍ଛେଦ ଲାଗି ବ୍ୟବସ୍ଥା କରିଛି।
ବାବାଜି ନାଥଙ୍କ ପୁଅ ଚିଣ୍ଟୁଆ ନାଥ ଗତ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଚିଣ୍ଟୁଆ ନାଥ ବିବାହିତ ବୋଲି ମଧ୍ୟ ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ସମ୍ପୁର୍ଣ୍ଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କାରୀ କାହିଁକି ଓ କେଉଁଥି ପାଇଁ ଏ ଆକ୍ରମଣ କରି ମହିଳା ଙ୍କ ଜୀବନ ନେଇଛି ତାକୁ ନେଇ ସମସ୍ତ ଙ୍କ ମଧ୍ୟରେ ଘୋର ସନ୍ଦେହ ପ୍ରକାଶ ପାଇଛି।