ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ଉନ୍ନତି କରଣ ପ୍ରସଙ୍ଗ, ୧୧ ତାରିଖ ରେ ଶିଳାନ୍ୟାସ
ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଭର୍ଚ୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ

ଆସନ୍ତା ୧୧ ତାରିଖ ଦିନ ପୂର୍ବାହ୍ନ ୧୧ଘଟିକା ୩୦ମିନିଟ୍ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ୍ ମୋଡ୍ ମାଧ୍ୟମରେ ଐତିହାସିକ ପୌରାଣିକ ପୀଠ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ନେମାଳ ସ୍ଥିତ ଗାଦି ଓ ପୀଠ ର ଉନ୍ନତି କରଣ ନିମନ୍ତେ ପ୍ରାଥମିକ ସ୍ତରରେ ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି । ଏନେଇ ଦେବୋତ୍ତର ବିଭାଗ ଆଯୁକ୍ତ ଙ୍କ ଅନୁମତି ପ୍ରଦାନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କାର୍ଯ୍ୟାଳୟ ମଧ୍ୟ ସହମତି ପ୍ରଦାନ କରିଛନ୍ତି । ପୀଠ ର ଉନ୍ନତି କରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ରେ ରାଜ୍ୟ ସରକାର ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ପୀଠର ପାରିପାର୍ଶ୍ୱିକ ଉନ୍ନତି ଓ ଶ୍ରୀ ଗୋପୀନାଥଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ । ଏନେଇ ଉନ୍ନତି କରଣ ର ନକ୍ସା ସହ ସମସ୍ତ ପ୍ରକାର ପ୍ରସ୍ତୁତିପର୍ବ ମଧ୍ୟ ଶେଷ ହୋଇଛି ।
ତେବେ ଏହି କାର୍ଯ୍ୟ ନିମନ୍ତେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉଦ୍ୟମ ଓ ସହଯୋଗ କମିଟିର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି କମିଟି ର ଉପ ସଭାପତି ଶ୍ରୀ ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି। ତେବେ ଏହି ଖବର ପ୍ରଚାରିତ ହେବା ପରେ ଅଚ୍ୟୁତ ପ୍ରେମୀ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି । ତେବେ ମାଳିକା ବର୍ଣ୍ଣିତ ଐତିହାସିକ ପୀଠ ର ଉନ୍ନତି ଦିଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟୀ ଅଧ୍ୟକ୍ଷ ଭିକେ. ପାଣ୍ଡିଆନ୍ ଯଥେଷ୍ଟ ଉଦ୍ୟମ ଓ ସହଯୋଗ କରିଥିବା ରୁ ଏନେଇ ଲକ୍ଷ ଲକ୍ଷ ଭକ୍ତ ସମୁହ ଭାବେ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ମଧ୍ୟ ଜଣାଇଛନ୍ତି ।