ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ
ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତ ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟ କମିଟି ସଚିବ ଶ୍ରୀ ସଞ୍ଜୟ ମିତଲ ଖୁସିବ୍ୟକ୍ତ କରିଛନ୍ତି।

ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତ ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟ କମିଟି ସଚିବ ଶ୍ରୀ ସଞ୍ଜୟ ମିତଲ ଖୁସିବ୍ୟକ୍ତ କରିଛନ୍ତି।
ରାଜପଥକୁ ସଂଲଗ୍ନ କରୁଥିବା ରାସ୍ତାରେ ସ୍ପିଡବ୍ରେକର ବ୍ୟବସ୍ଥା, ଯାନବାହାନ ଯାଞ୍ଚ ଏବଂ ନିଶାଗ୍ରସ୍ତ ଗାଡି ଚାଳକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଦୁର୍ଘଟଣାର ପ୍ରଥମ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରିବାକୁ ସେ କହିଛନ୍ତି। ଟ୍ରମା କେନ୍ଦ୍ରଗୁଡିକରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ସଡ଼କ ସୁରକ୍ଷା ଉପରେ ଗଠିତ ସୁପ୍ରିମକୋର୍ଟ କମିଟି ସଚିବ ଶ୍ରୀ ମିତଲ ଜାତୀୟ ରାଜପଥରୁ ଅବରୋଧ ହଟାଇବା, ଜାତୀୟ ସଡ଼କ କଂଗ୍ରେସର ନୀୟମ ଅନୁଯାୟୀ ମିଡିଆନ ନିର୍ମାଣ, ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ଚିହ୍ନଟ ଏବଂ ଆବଶ୍ୟକୀୟ ସୂଚନା ଫଳକ ଲଗେଇବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ବ୍ୟବସ୍ଥାକୁ ନେଇ ୬୭ ପ୍ରତିଶତ ମାର୍କ ରଖିଥିବା ଶ୍ରୀ ମିତଲ ସୂଚନା ଦେଇଛନ୍ତି। ଗତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଓ ଗଜପତି ଜିଳ୍ଲାରେ ସର୍ବନିମ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ସେ କହିଥିଲେ।
ସେହିଭଳି ରକ୍ଷକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କ୍ଷେତ୍ରରେ ୧୧୩୮୯ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ବାହକ କାର୍ଯ୍ୟକ୍ରମ ମାଧ୍ୟମରେ ୧୫୩୨ ଜଣ ଭାରିଯାନ ଚାଳକଙ୍କୁ ତାଲିମ ପ୍ରଦାନ କରାଯାଉଛି।