ଛୁଟିରେ ବିଦ୍ୟାଭାରତୀ, ଖୋଜୁଛି ପୋଲିସ
ଛୁଟିରେ ବିଦ୍ୟାଭାରତୀ, ଖୋଜୁଛି ପୋଲିସ

୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ) ଜାରି ପରେ ବେତନଟୀ ବ୍ଲକ ଅଧୀନ ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ୟ୍ୟରତ ସ୍ୱର୍ଗତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଛୁଟିରେ ପଳାଇ ଯାଇଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ । ବିଦ୍ୟାଭାରତୀ ଗତ ମାସ ୨୭ ତାରିଖ କୌଣସି କାମ ଥିବା ଦର୍ଶାଇ ଜୁନ ୨୮ରୁ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଅନୁପସ୍ଥିତ ରହିବେ ଦର୍ଶାଇ ଦରଖାସ୍ତ ଆବେଦନ କରିଛନ୍ତି ଓ ଛୁଟିରେ ପଳାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବେତନଟୀ ବ୍ଲକ ମୋବାଇଲ ଭେଟେରିନାରୀ ୟୁନିଟର ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଡ. ସ୍ୱୟମ ପ୍ରକାଶ ନାୟକ ।
ଏପଟେ ମାନ୍ୟବର ଅଦାଲତ ଏନ୍ବିଡବ୍ଲୁ ଜାରି କରିବା ପରେ ପୁଲିସ ପୈତୃକ ଘର କପ୍ତିପଦାରେ ଖୋଜାଖୋଜି କରି ବିଦ୍ୟାଭାରତୀଙ୍କୁ ପାଇନାହିଁ । ପରେ କପ୍ତିପଦା ପୁଲିସ ସୋମବାର ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ଯୋଗାଯୋଗ କରିଛନ୍ତି । ବିଦ୍ୟାଭାରତୀ ଛୁଟିରେ ଯାଇଥିବାରୁ ତାଙ୍କ ନିକଟରେ ପୁଲିସ ପହଞ୍ଚିବାରେ ଅଦ୍ୟାବଧି ବିଫଳ ରହିଛି ।