ତୁଟିଲାନି ଲିଙ୍ଗରାଜ ମନ୍ଦିର ବିବାଦ, ଇସ୍ତଫା ଦେଇଛନ୍ତି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ
ଏହି ସମୟରେ ଏକ ନୂଆ ମୋଡ଼ ନେଇଛି ଏହି ବିବାଦ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ

ତୁଟିଲାନି ଲିଙ୍ଗରାଜ ମନ୍ଦିର ବିବାଦ । ହେଲାନି ସମାଧାନ । ଏହି ସମୟରେ ଏକ ନୂଆ ମୋଡ଼ ନେଇଛି ଏହି ବିବାଦ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ । ବିବାଦର ସମାଧାନ ନହେବାରୁ ବୋର୍ଡରୁ ଇସ୍ତଫା ଦେଇଥିବା ନେଇ ସେମାନେ ସୂଚନା ଦେଇଛନ୍ତି ।
ଲିଖିତ ଭାବେ ଦେବତ୍ତୋର କମିସନଙ୍କୁ ଇସ୍ତଫା ପତ୍ର ଦେଇଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ କହିଛନ୍ତି । ତିନି ଦିନରେ ବିବାଦର ସମାଧାନ ନହେବାରୁ ଇସ୍ତଫା ଦେଇଛନ୍ତି । ଆଜିଠୁ ନିଜ ହିସାବରେ ମହାପ୍ରଭୁଙ୍କ ସେବା ଯୋଗାଇ ଦେବେ ।
ସେପଟେ ତିନି ଦିନ ହେଲା ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ 2 ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନ ଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେବେ ଭକ୍ତଙ୍କ ପାଇଁ ସାହାଣମେଲା ଖୋଲା ରହିଥିଲେ ବି ଦେବ ନୀତି ବନ୍ଦ ରହିଛି । ଅନ୍ୟପଟେ ସେବାୟତଙ୍କ ମଧ୍ୟରେ ବିବାଦ ଓ ସମନ୍ୱୟ ଅଭାବରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।