ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିବ ଡିସେମ୍ବରରେ

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍‌।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିବ ଡିସେମ୍ବରରେ

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍‌। ଜିଲ୍ଲାସ୍ତରୀୟ ଅଧିକାରୀ ଓ ଠିକା ସଂସ୍ଥା ସହ ପ୍ରକଳ୍ପର ସମୀକ୍ଷା ପରେ‌ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟର ବି ଚଳିତ ବର୍ଷ ଡିସେମ୍ବର ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଭୋର ୪ଟାରେ ପହଞ୍ଚି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ନିର୍ମାଣ ସଚିବ ବୀରବିକ୍ରମ ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଳ ସିଂହ ପ୍ରମୁଖ ଅଧିକାରୀଙ୍କ ସହ ଶ୍ରୀକ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।

ଭୋର୍‌ ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଠିକା ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ସେବାୟତଙ୍କ ପାଇଁ ଦୁଇଚକିଆ ଗାଡ଼ି ପାର୍କିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତାୟାତକୁ ସୁଗମ କରିବା ପାଇଁ ପରିକ୍ରମା ପ୍ରକଳ୍ପ ଆଉଟର୍‌ ରୋଡ୍‌କୁ ଜବରଦଖଲମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ମଠ, ମନ୍ଦିରର ଉନ୍ନତୀକରଣ ବେଳେ କାରୁକାର୍ଯ୍ୟରେ ଓଡ଼ିଶାର କଳା, ସଂସ୍କୃତିର ଯେପରି ଛାପ ରହିବ, ସେ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଧିକ ଲୋକଙ୍କୁ ନିୟୋଜିତ ପାଇଁ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀମନ୍ଦିର ଆସୁଥିବା ହଜାର ହଜାର ଭକ୍ତ ଯେଭଳି ଭଲ ଅନୁଭୂତି ନେଇ ଫେରିବେ, ସେ ନେଇ ନିର୍ମାଣ କାର୍ଯ୍ୟ ଓ ସମୟ ଅନୁସାରେ କାମ ସାରିବା ଉପରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଗୁରୁତ୍ବ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ କାମ ବି ଯଥାଶୀଘ୍ର ସାରିବାକୁ କୁହାଯାଇଛି। ପରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟର ଆଦି ସ୍ଥାନ ଅଧିକାରୀମାନେ ବୁଲି ଦେଖିଥିଲେ। ଏହି ଅବସରରେ ଓବିସିସିର ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।