ସମ୍ବଲପୁର ହିଂସା ଘଟଣା: ଯାଞ୍ଚ ପାଇଁ ୪ ଜଣିଆ କମିଟି ଗଠନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟି ଯାଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଏକ ୪ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟି ଯାଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଏକ ୪ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବ ଓ ଏହାର ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିବ ।
ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଓ ପଶ୍ଚିମବଙ୍ଗ ପୁରୁଲିୟାର ସାଂସଦ ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି। ଯାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତନ ତନ ଯାଞ୍ଚ କରିବ, ଖବର ସଂଗ୍ରହ କରିବ ଓ ପରେ ନିଜ ରିପୋର୍ଟ ପ୍ରଦାନ କରିବ ।
ତେବେ କିଛି ଦିନ ପୂର୍ବେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (NIA) ଦ୍ୱାରା ତଦନ୍ତ ଦାବି କରିଥିଲେ। ଏହି ଘଟଣାର ଷଡଯନ୍ତ୍ରକାରୀ ତଥା ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ସାମ୍ପ୍ରଦାୟିକ ହିଂସାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ପଛରେ ଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଦାବି କରିଥିଲେ। ଓଡ଼ିଶାର ବହୁ ବିଜେପି ବିଧାୟକ ତଥା ସାଂସଦ ମଧ୍ୟ ମନମୋହନ ସାମଲଙ୍କ ଦାବିକୁ ସମର୍ଥନ କରି ଏହି ଚିଠିରେ ହସ୍ତାକ୍ଷର କରିଥିଲେ।
ସୂଚନାଯୋଗ୍ୟ ଯେ, ହନୁମାନ ଜୟନ୍ତୀ ପୂର୍ବରୁ ଏପ୍ରିଲ ୧୨ ତାରିଖ ଦିନ ଏକ ବାଇକ୍ ରାଲି ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତ୍ତି ପୋଡ଼ି ଦିଆଯାଇଥିଲା । ଏହି ହିଂସାକାଣ୍ଡରେ ଜଣେ ଆଦିବାସୀ ଯୁବକ ମୃତ୍ୟୁବରଣ କରିଥିଲେ ।