ମହା ସମାରୋହ ରେ ଚାଲିଛି ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା

ଚଳନ୍ତି ପ୍ରତିମା ର ନୌବିହାର ସହ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନ

ମହା ସମାରୋହ ରେ ଚାଲିଛି ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା

 ପୁରୀ : ମହାପ୍ରଭୁଙ୍କୁ ନେଇ ନୌବିହାର କରିବାକୁ ପ୍ରତୀକ୍ଷିତ ନେତ୍ରରେ ଚାହିଁ ରହିଥିଲେ ନନ୍ଦା ଓ ଭଦ୍ରା (ଡଙ୍ଗା)। ବର୍ଷକ ରେ ଥରେ ଲୀଳାମୟ ମହାପ୍ରଭୁଙ୍କ ସ୍ପର୍ଶ ପାଇବାକୁ ଡଙ୍ଗା ଦ୍ବୟଙ୍କ ମନ ଉଚ୍ଛୁଳି ପଡିବା ସହ ନିଜ ଛାତି ଉପରେ ମହାପ୍ରଭୁଙ୍କ ନୌବିହାର କରିବା ପାଇଁ ଚାତକ ପରି ଚାହିଁ ରହିଥିଲା ନରେନ୍ଦ୍ର ସରୋବର ।

ଏଣେ ବିଜେ କାହାଳୀ ବାଜିବା ପରେ ଘଣ୍ଟ, ଛତା, କାହାଳୀ ପଟୁଆରରେ ମହାପ୍ରଭୁ ସ୍ବତନ୍ତ୍ର ମଣି ବିମାନରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଦିବ୍ୟଲୀଳା। ବର୍ଷକୁ ଥରେ ଏହି ଯାତ୍ରା ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରିଥାଏ। ଯାହାକୁ ଦେଖିବା ପାଇଁ କାହିଁ କୁଆଡୁ ଭକ୍ତ ଛୁଟି ଆସିଥାନ୍ତି ଶ୍ରୀକ୍ଷେତ୍ର ପୁରୀ କୁ। ଯେପରି ଏହି ଲୀଳା ଦର୍ଶନ କରି ନିଜ ଜୀବନ ସାର୍ଥକ କରିବା ପାଇଁ ଅପେକ୍ଷା କରି ରହିଥିଲେ ହଜାର ହଜାର ଭକ୍ତଗଣ

ମଣି ବିମାନେ ଗୋବିନ୍ଦ.., ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ… ପଙ୍କ୍ତି ସଦୃଶ ଦୃଶ୍ୟ ଦେଖିବାର ଅବକାଶ ଭେଟି ଦେଇଥିଲା ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଅକ୍ଷୟ ତୃତୀୟା ରୁ ଆରମ୍ଭ ହେଇଥିବା ୨୧ ଦିନିଆ ଏହି ଯାତ୍ରାର ଆଜି ଥିଲା ଷଷ୍ଠ ଦିବସ। ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରିଥିଲେ। ମହାପ୍ରଭୁଙ୍କ ସହ ରାମ-କୃଷ୍ଣ ସୁସଜ୍ଜିତ ପାଲିଙ୍କିରେ ଭଜନ ଓ ସଂକୀର୍ତ୍ତନର ଅପୂର୍ବ ସମାବେଶରେ ପଞ୍ଚ ମହାଦେବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠଙ୍କ ବିଜେ ପ୍ରତିମା ସ୍ବବିମାନରେ ଏହି ଯାତ୍ରାରେ ସାମିଲ ହୋଇ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥାନ୍ତି। ଚାପଖେଳ ପରେ ମହାପ୍ରଭୁ ନରେନ୍ଦ୍ର ଚକଡ଼ାରେ ଚନ୍ଦନ କୁଣ୍ଡର ଶୀତଳ ଜଳରେ ସ୍ନାନ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି।