୩ରେ ଓଡ଼ିଶା ବନ୍ଦ ଡାକରା
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା । ଆସନ୍ତା ଅକ୍ଟୋବର ୩ରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଗଛିତ ଥିବା ଅଳଙ୍କାରର ଗଣତି କରି ସାର୍ବଜନୀନ କରିବା ପାଇଁ ମଧ୍ୟ ସେନା ପକ୍ଷରୁ ଦାବି ହୋଇଛି । ତେବେ ଏନେଇ ରବିବାର ସେନାର ଆବାହକ ଓ ସଦସ୍ୟ ମାନେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଲୋଚନା କରିଥିଲେ । ହେଲେ ଏହି ଆଲୋଚନା ବିଫଳ ହୋଇଥିବା କହିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଶେଷ ହେଲେ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରକଳ୍ପ କାର୍ୟ୍ୟ ଧିମା ଗତିରେ ଚାଲୁଥିବାରୁ କେବେ ଏହି କାର୍ୟ୍ୟ ସରିବ ସେନେଇ ଅନିଶ୍ଚିତତା ଦେଖାଦେଇଛି । ତେଣୁ ୭୨ ଘଣ୍ଟା ମଧ୍ୟରେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନମିଳିଲେ ଓଡ଼ିଶା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ସ୍ପଷ୍ଟ କରିଦେଇଛି ।