ବିବାହ ବନ୍ଧନରେ ବାନ୍ଧିହେଲେ ପରିଣୀତି-ରାଘବ ଯୋଡ଼ି

ବିବାହ ବନ୍ଧନରେ ପରିଣୀତି-ରାଘବ ଯୋଡ଼ି

ବିବାହ ବନ୍ଧନରେ ବାନ୍ଧିହେଲେ ପରିଣୀତି-ରାଘବ ଯୋଡ଼ି

ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢା ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି। ଉଭୟ ରବିବାର ଉଦୟପୁରର ଲୀଲା ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ ଧୁମ୍‌ଧାମ୍‌ରେ ବିବାହ କରିଛନ୍ତି।

ଏହି ରାଜକୀୟ ବିବାହର ଝଲକ୍‌ ପାଇବା ପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ବିବାହ ରୀତିନୀତି ସହ ଜଡ଼ିତ କୌଣସି ଫଟୋ କିମ୍ବା ଭିଡିଓ ଶେୟାର କରିବା ଉପରେ କଡ଼ା ନିଷେଧାଦେଶ ଯୋଗୁ ଲୋକଙ୍କ ଇଚ୍ଛା ଅଧା ରହି ଯାଇଥିଲା।

କିନ୍ତୁ ଏବେ ଲୋକଙ୍କ ଅପେକ୍ଷାର ଅନ୍ତ ଘଟିଛି। ସାମ୍ନାକୁ ଆସିଛି ଏହି ସୁନ୍ଦର ଯୋଡ଼ିଙ୍କ ବିବାହ ପରର କିଛି ଫଟୋ ଓ ଭିଡିଓ। ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରାଯାଇଛି। ଏଥିରେ ନବ ଦମ୍ପତି ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି।

ପରିଣୀତି-ରାଘବଙ୍କ ବିବାହ ସମାରୋହରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଯୋଗ ଦେଇଥିଲେ। ସିନେ ତାରକା, କ୍ରିକେଟର ଓ ରାଜନୀତି ଜଗତର ଅନେକ ବିିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ମଧ୍ୟ ଏହି ଭବ୍ୟ ସମାରୋହରେ ସାମିଲ ହୋଇଥିଲେ।

ପରିଣୀତି ଏବଂ ରାଘବ ପ୍ରଥମେ ବନ୍ଧୁ ଥିଲେ। ପରେ ୨୦୨୨ରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିଣୀତି ଏବଂ ରାଘବଙ୍କର ୧୩ ମେ, ୨୦୨୩ ରେ ଦିଲ୍ଲୀର କପୁରଥାଲା ହାଉସରେ ନିର୍ବନ୍ଧ ହୋଇଥିଲା। ଏହାପରେ ବିବାହ ପାଇଁ ରାଜସ୍ଥାନକୁ ଚୟନ କରାଯାଇଥିଲା।