ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ରଣନୀତି

ପୁରୀ ସଂସଦୀୟ କ୍ଷେତ୍ରକୁ ଅଧିକ ଫୋକସ୍ କର । ମାସେ ଭିତରେ ପ୍ରସ୍ତୁତ କର ରୋଡ୍ ମ୍ୟାପ୍

ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ରଣନୀତି

ପୁରୀ ସଂସଦୀୟ କ୍ଷେତ୍ରକୁ ଅଧିକ ଫୋକସ୍ କର । ମାସେ ଭିତରେ ପ୍ରସ୍ତୁତ କର ରୋଡ୍ ମ୍ୟାପ୍ । ଲୋକଙ୍କ ପାଖକୁ ଯାଇ ତୃଣମୂଳସ୍ତରରେ ଦଳର ସଂଗଠନକୁ ଅଧିକ ଶକ୍ତିଶାଳୀ କର । ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଦୁଆର ମୁହଁରେ ପହଞ୍ଚାଅ ।
ସୋମବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ଏଭଳି ଭାବେ ପୁରୀ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ବିଗୁଲ ବାଜିବା ପରେ ବିଜେଡିର ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ । ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି । ପୁରୀ ସଂସଦୀୟ କ୍ଷେତ୍ରରୁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତି ବୃଦ୍ଧି କରିବା ସହ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ମଜ୍‌ଭୁତ୍ କରିବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ ଦିଆଯାଇଛି । ଦଳ କିପରୀ ନିର୍ବାଚନରେ ସଫଳ ହେବ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ ।

 ବୈଠକରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିଥିବାର କୁହାଯାଉଛି । ତାହା ହେଉଛି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ଛିଡ଼ା ହୁଅନ୍ତୁ ବୋଲି ବୈଠକରେ ବହୁ ନେତା ପ୍ରସ୍ତାବ ଦେଇଛନ୍ତି । ହେଲେ ନବୀନ ଏହା ଉପରେ ପରେ ବିଚାର କରିବେ ବୋଲି ଜଣାଇଛନ୍ତି । ଅନ୍ୟପକ୍ଷରେ ଏହି ବୈଠକରେ ଅରୂପଙ୍କ ପ୍ରାର୍ଥୀତ୍ୱକୁ ନେଇ ଆଲୋଚନା ସହ ସତ୍ୟବାଦୀ ବିଧାନସଭା କ୍ଷେତ୍ରକୁ ନେଇ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସଂଜୟ ଦାସବର୍ମା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସଂପର୍କରେ ଆଲୋଚନା କରାଯାଇଛି । ଉଭୟ ଆସନ ଅଦଳବଦଳ କରିବେ । ତେଣୁ ଉଭୟଙ୍କ ମଧ୍ୟରେ ଏନେଇ ଆପୋଶ ବୁଝାମଣା ହୋଇଥିବାର ଜଣାପଡ଼ିଛି ।

 ଉକ୍ତ ବୈଠକରେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ସାଂସଦ ଶୁଭାଶିଷ ଖୁଣ୍ଟିଆ, ନୟାଗଡ଼ ବିଧାୟକ ଅରୁଣ ସାହୁ, ସାଂସଦ ମାନସ ମଙ୍ଗରାଜ,ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜର ମତାମତ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଚଳଚଞ୍ଚଳ କରିଛି ବିଜୁ ଜନତା ଦଳ । ତେବେ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ ଯୋଗ ଦେଇ ନ ଥିଲେ ।