ବଦଳିଲେ ଫିରିଙ୍ଗିଆ IIC

ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ, ଆଜି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି

ବଦଳିଲେ ଫିରିଙ୍ଗିଆ IIC

ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ, ଆଜି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । ଥାନା ଆଇଆଇସି ତପନ ନାହକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଥିସହ ଅଭିଯୋଗ ଥିବା ଦୁଇ ହାବିଲଦାରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ଶୁଭେନ୍ଦୁ ପାତ୍ର । ଥାନା ଆଇଆଇସି ଓ ହୋମଗାର୍ଡ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ଏପରିକି ପୋଲିସ ଗାଡିରେ ଗଞ୍ଜେଇ ନେଇ ବିକ୍ରି କରୁଥିବାର ଏକ ଭିଡିଓ ଏସପିଙ୍କୁ ପଠାଇଥିଲେ । କିନ୍ତୁ ଅଭିଯୁକ୍ତ ଆଇଆଇସି ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତକାଲି ଥାନାରେ ଭଂଗାରୁଜା ଓ ପୋଡାଜଳା କରିଥିଲେ ଉତ୍ୟକ୍ତ ଲୋକେ । ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ଅନ୍ୟପଟେ, ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଲଙ୍କାକାଣ୍ଡ ଘଟାଇଥିବା ଅଭିଯୋଗରେ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୧୬ଜଣଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି । ସେପଟେ ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ । ବନ୍ଦ ରହିଛି ଫିରିଙ୍ଗିଆ ଦୋକାନ ବଜାର । ଅଞ୍ଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଅପରାହ୍ନରେ ଲୋକ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ଅଭିଯୋଗ କରି ଥାନାରେ ନିଆଁ ଲଗାଇ ଦେଇଥିଲେ ସ୍ଥାନୀୟ ଲୋକେ ।