ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ
ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗରେ ତେଜିଲା ରାଜନୀତି

ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗରେ ତେଜିଲା ରାଜନୀତି । ଭୁବନେଶ୍ୱରରେ ରାଜଭବନ ଆଗରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।
ପୋଲିସ ଆନ୍ଦୋଳନକାରୀ ଏକାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ଏଯାଏଁ ପୋଲିସ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ହୋଇନି ।
ମୁଖ୍ୟମନ୍ତ୍ରୀ ନିଜେ ଗ୍ରିଭାନ୍ସ ଖୋଲିଛନ୍ତି, ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଛି ବିଜେଡି । ଗତ ୭ ତାରିଖରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ ।
ଦୋଷୀଙ୍କ ବିରୋଧରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ, ଅଭିଯୋଗ ଉପରେ ରାଜ୍ୟପାଳଙ୍କ ପୁଅ କିମ୍ବା ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପୋଲିସ ପକ୍ଷରୁ ବି ପ୍ରତିକ୍ରିୟା ମିଳିନାହିଁ । ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ିଶା ସଚିବାଳୟ ସେବାର ଅଧିକାରୀ ବୈକୁଣ୍ଠନାଥ ପ୍ରଧାନ ସଙ୍ଗୀନ ଅଭିଯୋଗ ଆଣିଥିଲେ ।