ଆଙ୍କରେଜ ଏରିଆ ରୁ ଫେରିଯିବ କି ଜାହାଜ ପାଇଓନିଅର ଗ୍ଲୋରି ???

ମିଠା ନଦୀ ବାଲି ନେବାକୁ ଆସିଛି ହେଲେ କାଗଜପତ୍ର ସ୍ବଚ୍ଛତା ନେଇ ଉଠିଛି ପ୍ରଶ୍ନ

ଆଙ୍କରେଜ ଏରିଆ ରୁ ଫେରିଯିବ କି ଜାହାଜ ପାଇଓନିଅର ଗ୍ଲୋରି ???

ପାରାଦୀପ ବନ୍ଦର ରେ କାର୍ଯ୍ୟରତ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କେଳେଙ୍କାରୀ ସୃଷ୍ଟି କରୁଛନ୍ତି ଯେଉଁଥିରେ ବନ୍ଦର ପ୍ରଶାସନ ହରଡ ଘଣାରେ ପଡିବା ସହ ଅନେକ ଦୁର୍ନୀତି ଖୋର ପ୍ରଶାସନିକ ଅଧିକାରୀ ମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସୁଛି। ନିକଟ ଅତୀତରେ ସିବିଆଇ ଚଢ଼ାଉ ହେଉ ବା ଯାଜପୁର ଡିଡିଏମ୍ ଙ୍କ ନାଲି ଆଖି ହେଉ ଅନେକ ସମୟରେ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ଜାଲ୍ କାଗଜ ପତ୍ର ନେଇ ଅନେକ ସମୟ ରେ ଜାହାଜ ଆରେଷ୍ଟ ହେବାର ନଜିର ରହିଛି। ତେବେ ଏତେ ପରେ ବି ବାରମ୍ବାର ଏପରି କେଳେଙ୍କାରୀ ସାମ୍ନା କୁ ଆସିବା ବନ୍ଦର ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 


୨୦୧୨ ମସିହାରେ ପ୍ରଥମ କରି ସିନର୍ଜି ସିପିଂ ଦ୍ବାରା ଏକ ମିଠା ନଦୀ ବାଲି ଏକ୍ସପୋର୍ଟ ଆରମ୍ଭ ହୋଇଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଚାଲାଣ ହେଉଥିବା ରୁ ତତ୍କାଳୀନ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ବାଲି ଏକ୍ସପୋର୍ଟ ବନ୍ଦ ହୋଇ ଯାଇଥିଲା। ଏହାପରେ ଦୀର୍ଘ ୭ବର୍ଷ ପରେ ପୁଣି ବାଲି ଏକ୍ସପୋର୍ଟ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ଏକ୍ସପୋର୍ଟ କାର୍ଯ୍ୟ କିଙ୍ଗ ମେଟାଲ୍ସ ଆରମ୍ଭ କରିଥିବା ବେଳେ ପରେ ଫେୟାରମେକ୍ ନାମକ ଏକ କମ୍ପାନୀ ଆରମ୍ଭ କଲା। କିଙ୍ଗ ମେଟାଲ୍ସ ୨ଟି ଜାହାଜ କରିଥିବା ବେଳେ ଫେୟାରମେକ୍ ୩ଟି ଜାହାଜ ପଠାଇଛି। କିନ୍ତୁ ଏବେ ପ୍ରଥମ କରି ନୂତନ ଭାବେ ଆରମ୍ଭ କରିଛି ଶକ୍ତି ସିପିଙ୍ଗ୍। ତେବେ ବାଲି କେଉଁ ଘାଟରୁ ଆସୁଛି,  ତାର ୱ୍ବାଇ ଫର୍ମ ଅଛି କି ନାହିଁ, ସମ୍ପୃକ୍ତ ତହସିଲଦାର ଓ ଜିଲ୍ଲାପାଳଙ୍କ ଅନୁମତି ରହିଛି କି ନାହିଁ, କେଉଁ ଗାଡ଼ି କେତେ ମେଟ୍ରିକ୍ ଟନ୍ ବାଲି ଆଣୁଛି ତାହା ସମସ୍ତ କାଗଜପତ୍ର ଠିକ୍ ଠାକ୍ ଅଛି କି ନାହିଁ ସେନେଇ ତର୍ଜମା ର ଆବଶ୍ୟକତା ରହିଛି। ତେବେ ଅନୁସନ୍ଧାନ ରୁ ଜଣାପଡିଛି ଯେ କିଙ୍ଗ ମେଟାଲ୍ସ କମ୍ପାନୀ ର କାଗଜ ପତ୍ର ନିୟମ ମୁତାବକ ପ୍ରାୟତଃ ଠିକ୍ ଠାକ୍ ରହିଛି। କିନ୍ତୁ ଫେୟାରମେକ୍ ର ପ୍ରଥମ ଜାହାଜ ଠିକ୍ ଥିବା ବେଳେ ଅନ୍ୟ ୨ଟି ଜାହାଜ ରେ ବ୍ୟାପକ ହେରାଫେରି ହୋଇଛି। ସେହିପରି ବର୍ତ୍ତମାନ ଶକ୍ତି ସିପିଙ୍ଗ୍ ର ସମସ୍ତ ନିତୀ ନିୟମ କୁ ଫୁ କରି ଉଡାଇ ଦେଇ ଏକ୍ସପୋର୍ଟ ପାଇଁ ଜାହାଜ ଡିକ୍ଲାଏର କରିଛି। ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଶକ୍ତି ସିପିଙ୍ଗ୍ ର ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟ ରେ ନିଜ ନାମରେ ପ୍ଲଟ୍ ନାହିଁ, ଯାହାକି ନିୟମ ରହିଛି ବନ୍ଦର ପ୍ରଶାସନ ପକ୍ଷରୁ ଏକ୍ସପୋର୍ଟର ମାନଙ୍କୁ ପ୍ଲଟ୍ ଆଲର୍ଟ କରାଯାଇଥାଏ। କିନ୍ତୁ ଶକ୍ତି ସିପିଙ୍ଗ୍ କ୍ଷେତ୍ରରେ ଏନେଇ ଦେଖା ଦେଇଛି ବ୍ୟତିକ୍ରମ। ସେହିପରି କମ୍ପାନୀ ଯେଉଁ ଜିଲ୍ଲା ରୁ ବା ଯେଉଁ ତହସିଲ ଅଧିନରୁ ବାଲି ଉତ୍ତୋଳନ କରିବ ସେନେଇ ସମ୍ପୃକ୍ତ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରୁ ଅନୁମତି ପ୍ରାପ୍ତ କରିବା କଥା କିନ୍ତୁ ସେଥିରେ ମଧ୍ୟ ଦେଖା ଦେଇଛି ବ୍ୟତିକ୍ରମ। ତାଛଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତି ଟ୍ରିପ୍ ରେ  ୱ୍ୟାଇ ଫର୍ମ ପ୍ରାପ୍ତ ହେବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟାପକ କେଳେଙ୍କାରୀ ହୋଇଥିବା ଅଭିଯୋଗ ଉଠୁଛି। ଏସବୁ ତଦାରଖ କରିବା ର ଦାୟିତ୍ଵ କାହାର ? ଦେଖୁଛି କିଏ ? ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବା କିଏ  ?  ସବୁକିଛି ଯେପରି ସେଟିଂ ରେ ଚାଲୁଥିବା ପରିଲକ୍ଷିତ ହେଉଛି। ଏନେଇ କୌଣସି ବିଭାଗୀୟ ଅଧିକାରୀଙ୍କୁ ପଚରାଯିବାରେ ସନ୍ତୋଷ ଜନକ ଉତ୍ତର ମଧ୍ୟ ମିଳୁନାହିଁ। ଯେହେତୁ ପାରାଦୀପ ବନ୍ଦର କୁ ୩ଟି ଜିଲ୍ଲା ଯଥା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସମ୍ପୃକ୍ତି ରହିଛି ସେଦୃଷ୍ଟିରୁ ଅସାଧୁ ଏକ୍ସପୋର୍ଟର ମାନେ ଏପଟ ଜିଲ୍ଲା ସେପଟ ଜିଲ୍ଲା ଦର୍ଶାଇ ପାର ଉତ୍ତାର ହୋଇ ଯାଉଛନ୍ତି। ୩ଟି ଜିଲ୍ଲା ର ଜିଲ୍ଲାପାଳ ଏ ପ୍ରାୟ ୧୫ଜଣ ତହସିଲଦାର ଙ୍କ ଅଧୀନ ରେ ଏହି ବାଲି ଚାଲାଣ ହେଉଥିବା ରୁ ବାଲି ମାଫିଆ ମାନଙ୍କ ସହ ମିଶି ଏକ୍ସପୋର୍ଟର ମାନେ ବେଧଡକ ଭାବେ ନିଜ କାର୍ଯ୍ୟ ହାସଲ କରୁଛନ୍ତି । ତେବେ ଏସବୁ ତଦାରଖ କରିବା ପାଇଁ ନା ବନ୍ଦର ପ୍ରଶାସନ ପାଖରେ କ୍ଷମତା ରହିଛି ନା ରହିଛି ମ୍ୟାନ୍ ପାୱ୍ବାର କେବଳ ରେକର୍ଡ ଉପରେ ରେକର୍ଡ ହାସଲ କରିବା ଲକ୍ଷ୍ୟରେ ବନ୍ଦର ପ୍ରଶାସନ ଆଖି ବୁଜି ସବୁ କିଛି ଅଣଦେଖା କରିଦେଉଛି। ତେବେ ପ୍ଲଟ୍ ନାହିଁ ପରମିସନ୍ ନାହିଁ ସଠିକ୍ ୱ୍ବାଇ ଫର୍ମ ମଧ୍ୟ ନାହିଁ କିପରି ଶକ୍ତି ସିପିଙ୍ଗ୍ ପାରାଦୀପ ବନ୍ଦର ରେ ଜାହାଜ ଲଗାଇବା ପାଇଁ ସାହାସ କରୁଛି ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ପାରାଦୀପ ବନ୍ଦର ଆଙ୍କରେଜ ଏରିଆ ରେ ଲଙ୍ଗର ପକାଇଥିବା ଜାହାଜ ଏମଭି ପାଇଓନିଅର ଗ୍ଲୋରି ବନ୍ଦର ପୋତାଶ୍ରୟ ରେ ପ୍ରବେଶ କରିବା ନା ସେହି ଆଙ୍କରେଜ ଏରିଆ ରୁ ବାହାରୁ ବାହାରୁ ବିଦାୟ ନେବ ତାହା ଦେଖିବାକୁ ବାକି ରହିଛି।

ପ୍ରାୟ ୧୧ହଜାର ମେଟ୍ରିକ୍ ଟନ୍ ମିଠା ନଦୀ ବାଲି ନେବାକୁ ଆସିଥିବା ଏହି ଜାହାଜ ର ଏଜେଣ୍ଟ୍ ସିନର୍ଜି ସିପିଂ ଥିବା ବେଳେ ଷ୍ଟିଭେଡୋର ଦାୟିତ୍ଵ ରେ ରହିଛି ରାଏ ଆଣ୍ଡ୍ ଚାଟାର୍ଜୀ। ଏହା ପାରାଦୀପ ବନ୍ଦର ଡିଟିଆର୍ ରିପୋର୍ଟ ଅନୁସାରେ ଆଜି ଅର୍ଥାତ୍ ୧୨ ଏପ୍ରିଲ୍ ୨୦୨୩ ତାରିଖ ଦିନ ବନ୍ଦର ପୋତାଶ୍ରୟ ରେ ବର୍ଥିଂ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ତେବେ ଏନେଇ ଘଟଣା ଲୋକ ଲୋଚନକୁ ଆସିବା ପରେ ପ୍ରଶାସନର କି ଆଭିମୁଖ୍ୟ ରହିବ ଓ ଜାହାଜ ବନ୍ଦର ମଧ୍ୟ କୁ ପଶିବ କି ଫେରିବ ସେନେଇ ରହିଛି ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ